ଓଡ଼ିଶାର ଗୌରବମୟ ପରମ୍ପରାର ପ୍ରତୀକ ରଜ ପର୍ବ। ବସୁଧା, ପ୍ରକୃତି ଓ ନାରୀ ମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ପର୍ବ। ଏହି ଅବସରରେ ଘରେ ପିଠା ପଣାର ଅସାର ସାଙ୍ଗକୁ ସାଥୀମେଳରେ ଦୋଳିଖେଳ ଏକ ନିଆରା ଅନୁଭୂତି। ଓଡ଼ିଶାରେ ରଜ ପର୍ବର ବେଶ ବିଶେଷତ୍ୱ ରହିଛି।
ପୌରାଣିକ, ଦାର୍ଶନିକ ଓ ଅଲୌକିକ ଦୃଷ୍ଟିକୋଣରୁ ଏହି ପର୍ବ ମାଟି ମା’ ତଥା ଧରିତ୍ରୀ ପ୍ରତି ସ୍ନେହ ଓ ସମ୍ମାନର ଦୃଷ୍ଟାନ୍ତ। ପହିଲି ରଜର ଅବ୍ୟବହିତ ପୂର୍ବରୁ ଏହି ପର୍ବ ପାଳନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସାରା ରାଜ୍ୟରେ ଆନନ୍ଦ ଓ ଉଲ୍ଲାସର ସହ ତିନିଦିନ ଧରି ଏହି ପର୍ବ ପାଳନ କରାଯାଏ। ଏହି ପର୍ବ ପାଳନ ଅବସରରେ ଗାଁ ଲୋକେ ଏଭଳି କୌଣସି କାମ କରନ୍ତିନାହିଁ, ଯେଉଁଥିରେ ବସୁଧା ମା’ କୁ ଯେପରି ଆଘାତ ପାଇବାର ଆଶଙ୍କା ଥାଏ। ଗାତ ଖୋଳିବାର ତ ଦୂରର କଥା ଭୂମି ଉପରେ ଖାଲି ପାଦରେ ଚାଲିବାକୁ ମନା। କୁହାଯାଏ ଖାଲି ପାଦରେ ଚାଲିଲେ ବି ବସୁଧା ମା’ କୁ କଷ୍ଟ ହାଇଥାଏ। ଏହି ତିନିଦିନ ଗଛ ଲତା ଉପରେ ଆଘାତ କରିବାର ଦୁଃସାହସ ମଧ୍ୟ କେହି କରନ୍ତି ନାହିଁ ।
ଓଡ଼ିଆଣୀ ଅବିବାହିତ ଝିଅମାନେ ରଜ ତିନିଦିନ କୌଣସି କାମ କରନ୍ତି ନାହିଁ । ପାଦରେ ଅଳତା ଲଗାଇ, ମୁଣ୍ଡରେ ଚନ୍ଦନ ଟିପା ସାଙ୍ଗକୁ ନୂତନ ପୋଷକ ପରିଧାନକରି ଦୋଳିରେ ଝୁଲନ୍ତି। ଘର ଘର ବୁଲି ନାନା ପ୍ରକାର ପିଠା ପଣା ବ୍ୟଞ୍ଜନ କରିଥାନ୍ତି ଯୁବତୀମାନେ। ପିଠା ପଣା ସହ ରଜରେ ପାନ ଖାଇବାର ପରମ୍ପରା ମଧ୍ୟ ରହିଛି। ରଜରେ ପୁଅମାନେ ମଧ୍ୟ ଦୋଳି ଖେଳିବା ସହ ସେମାନଙ୍କ ମୁଖ୍ୟ ଆସର ଜମେ ତାସ, ଲୁଡୁ, ବାଗୁଡ଼ି ଓ ପଶା ଆଦି ଖେଳରେ।