ଭୁବନେଶ୍ଵର ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍ ଦଳ ଓଡ଼ିଶା ଏଫ୍.ସି ସ୍ପେନର କିମ୍ବଦନ୍ତୀ ଫୁଟବଲ ଖେଳାଳି ଡେଭିଡ ଭିଲ୍ଲାଙ୍କୁ ନିଜର ଫୁଟବଲ ସମିତିରେ ସାମିଲ କରିଛି। ସେ ଏହାର ଗ୍ଲୋବାଲ ଫୁଟବଲ ଅପରେସନ୍ସ ମୁଖ୍ୟଭାବେ କାର୍ଯ୍ୟ କରିବେ। ସେହିପରି ଏହି ସମିତିରେ କ୍ଳବର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଯୋଶେପ ଗମ୍ବାଓ ଓ ଭିକ୍ଟର ଅନତେଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ସମିତିର ଦିଗଦର୍ଶନରେ ଦଳର ପ୍ରଶିକ୍ଷକ, ସହ ପ୍ରଶିକ୍ଷକଙ୍କ ନିଯୁକ୍ତି ସହ ପ୍ରଶିକ୍ଷଣ ଓ ଖେଳାଳି ଚୟନ ଆଦି କାର୍ଯ୍ୟ କରାଯିବ।
Former OFC Head Coach, Josep Gombau and Victor Onate are also a part of the club's Technical Football Committee along with David Villa. ????#OdishaFC #AmaTeamAmaGame #davidvilla
— Odisha FC (@OdishaFC) May 6, 2021
ଓଡ଼ିଶା ଏଫ୍.ସି ସହ ଯୋଗ ଦେବା ପରେ ଭିଲ୍ଲା କହିଛନ୍ତି, ”ମୋ ଅଭିଜ୍ଞାତାକୁ ନେଇ କାର୍ଯ୍ୟ କରିବାକୁ ପ୍ରାଥମିକତା ଦେବି। ୨୦ ବର୍ଷର ଅଭିଜ୍ଞତା କ୍ଳବର ବିକାଶ ଦିଗରେ କାର୍ଯ୍ୟ କରିବି। କ୍ଳବର ମୋ ପ୍ରତି ରହିଥିବା ଆସ୍ଥାକୁ ବିଶ୍ବାସରେ ପରିଣତ କରିବା ମୋର ପ୍ରଥମ ଲକ୍ଷ୍ୟ ହେବ”।
ଦୀର୍ଘ ଦୁଇ ଦଶନ୍ଧିର ଫୁଟବଲ କ୍ୟାରିୟରରେ ଡେଭିଡ ସ୍ପେନ ପାଇଁ ସବୁ ପ୍ରକାରର ସଫଳତା ଅର୍ଜନ କରିଛନ୍ତି। ଫିଫା ବିଶ୍ଵକପ, ୟୂରୋପିଆନ ଚମ୍ପିୟାନସିପ ଓ ଚମ୍ପିଆନ୍ସ ଳିଗ୍ ଟାଇଟଲ ହାସଲ କରିବା ସହ ବର୍ସିଲୋନା, ଆଟଲେଟିକୋ ମାଡ୍ରିଡ, ଭାଲେନିସିଆ ଭଳି ଦଳ ପାଇଁ ଖେଳି ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ।
ବିଶ୍ଵର ଜଣେ ଶ୍ରେଷ୍ଟ ଫୁଟବଲର ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ମହାନ ଖେଳାଳି ସ୍ପେନ ପାଇଁ ୯୮ ଟି ମ୍ୟାଚ ଖେଳି ୫୯ ଟି ଗୋଲ କରିଛନ୍ତି। ଭିଲ୍ଲା ୩ ଥର ବିଶ୍ଵକପ ଖେଳିବାର ସୁଯୋଗ ପାଇଛନ୍ତି। ସେ ୨୦୦୮ ରେ ସେ ବିଶ୍ଵକପ ବିଜୟୀ ହୋଇଥିଲେ। ସେହିପରି ୨୦୦୮ରେ ତାଙ୍କ ଦଳ ୟୁରୋପିଆନ ଚମ୍ପିୟାନସିପ ହାସଲ କରିଥିଲା।
ସେହିପରି ପେଷାଦାର କ୍ଲବ ଫୁଟବଲରେ ସେ ୨୦୧୦-୧୧ରେ ଚମ୍ପିଆନ୍ସ ଲିଗ, ୨୦୧୧ରେ ୟୁଇଏଫଏ ସୁପର କପ , ୨୦୧୧ରେ କ୍ଲବ ୱାର୍ଲ୍ଡ କପ, ୨୦୧୦-୧୧ ଓ ୨୦୧୨-୧୩ରେ ବର୍ସିଲୋନା ତରଫରୁ ଦୁଇଟି ଲା-ଲିଗା ଟାଇଟଲ ଜିତିଥିଲେ। ସେହିପରି ୨୦୧୩-୧୪ ରେ ସେ ଆଟଲେଟିକୋ ମାଡ୍ରିଡ ପକ୍ଷରୁ ଖେଳି ତୃତୀୟ ଲା-ଲିଗା ଟାଇଟଲ ଜିତିଥିଲେ। ଦୀର୍ଘବର୍ଷ ଧରି ସେ ଫିଟନେସ ଓ ଫର୍ମ ବଜାୟ ରଖି ସେ ବିଶ୍ଵ ଫୁଟବଲରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ଉଜ୍ଵଳମୟ କ୍ୟାରିୟର ଆଗାମୀ ପିଢିର ଫୁଟବଲରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଭଳି ଜଣେ କିମ୍ବଦନ୍ତୀଙ୍କ ଦିଗଦର୍ଶନ ଲାଭ କରି ଓଡ଼ିଶା ଏଫସି ଫୁଟବଲ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଓଡ଼ିଶାର ଅଗଣିତ କ୍ରୀଡାପ୍ରେମୀ ଆଶା ରଖିଛନ୍ତି।