ଓଡ଼ିଶାର କିମ୍ବଦନ୍ତୀ ସାରସ୍ଵତ ପ୍ରତିଭା ପଦ୍ମଭୂଷଣ ମନୋଜ ଦାସ

ମନୋଜ ଦାସ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବେ ଓଡ଼ିଶାର ଘରେ ଘରେ ପରିଚିତ।  ସେ ପାଞ୍ଚଟି ବିଶ୍ଵ ବିଦ୍ୟାଳୟରୁ ସମ୍ମାନଜଣକ ଡକ୍ଟରେଟ ଉପାଧି ଲାଭ ସହିତ ଓଡିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ପଦ୍ମଶ୍ରୀ,ପଦ୍ମଭୂଷଣ, ସରସ୍ବତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି। ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ତାନ ଟାଇମ୍ସ, ଦି ହିନ୍ଦୁ, ଷ୍ଟେଟ୍ୱମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି।  ତାଙ୍କ ଲେଖା ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା, ଏକାସଙ୍ଗରେ ବ୍ୟଙ୍ଗ ଓ ଗଭୀର ଦର୍ଶନରେ ଭରା।

ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମ ଠାରେ ୧୯୩୪ ମସିହା ପେବୃଆରୀ ୨୭ ତାରିଖ ଦିନ ଗୋଟିଏ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ।  ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା ‘ ପ୍ରକାଶ ପାଇଲା ଏବଂ ସେହି ସମୟରେ ‘ ଦିଗନ୍ତ ‘ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ।  ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ। ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଓ ରାଜ୍ୟ ଛାତ୍ର ଫେଡେରେସନର ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ।  ସେତେବେଳକୁ ‘ଜୀବନର ସ୍ୱାଦ ‘ ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇଥାଏ ! ୧୯୬୫  ମସିହାରେ ‘ଶେଷ  ବସନ୍ତ ଚିଠି ‘ ପ୍ରକାଶ ପାଇବା ପରେ ୧୯୬୬ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ! ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡିଶା ସାହିତ୍ୟର ବିଷ୍ଣୁ ଶର୍ମା  ବୋଲି କୁହାଯାଏ ।

୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଅଛନ୍ତି । ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଅଛନ୍ତି ।  ଯେଉଁ କେତେଜଣ ସାହିତ୍ୟ ସ୍ରଷ୍ଟା,ଓଡ଼ିଶାର ବର୍ତ୍ତମାନ ଭୌଗୋଳିକ ପରିବେଶ ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟ ସଗର୍ବେ ଧରାପୃଷ୍ଠରେ ବଞ୍ଚେଇ ରଖିବାରେ କୌଣସି କାର୍ପଣ୍ୟ ଦେଖେଇନାହାନ୍ତି ,ସେମାନଙ୍କ ମଧ୍ୟରୁ ପଦ୍ନବିଭୂଷଣ ମନୋଜ ଦାସ ଅଗ୍ରଣୀ ଓଡ଼ିଆ।  ଓଡ଼ିଶାର ପୁରପଲ୍ଲୀ ବା ପଣ୍ଡିଚେରୀ (ପୁଦୁଚେରୀ)ର ଶ୍ରୀମା ଶ୍ରୀ ଅରବିନ୍ଦ ଆଶ୍ରମର ପରିବେଶ ,ତାଙ୍କ ସାଧକ ଜୀବନର ସାବଲୀଳତା ,ସ୍ୱଚ୍ଛତା ,ସରଳତା ଓ ଉଚ୍ଚତର ମନସ୍ତତ୍ତ୍ୱ ତାଙ୍କ ସାହିତ୍ୟ ସୃଷ୍ଟି ସବୁରେ ବିଶେଷ ପରିଲିକ୍ଷିତ ହୁଏ ।  ଇଂଲିଶ ପତ୍ରିକା ” ହେରିଟେଜ୍ ” ହେଉ ବା ଏବେକାର ” ଇଣ୍ଡିଆନ ଏକ୍ସପ୍ରେସ ” ର ସମସାମୟିକ ସାମାଜିକ ଆଲୋଚନା ସ୍ତମ୍ବ ସବୁ ହେଉ, ତାଙ୍କୁ ଜଣେ ଚିନ୍ତାଶୀଳ ସାମ୍ବାଦିକ ଭାବରେ କେବଳ ପରିଚିତ କରାଇନାହିଁ, ବରଂ ପ୍ରମାଣିତ କରିଚି ଜନୈକ ଉଚ୍ଚକୋଟୀର ସର୍ବଭାରତୀୟ ଚିନ୍ତକ ଭାବରେ,ଯାହାର ଧମନୀ ଧମନୀରେ ଭାରତର ପୁରାତନ ସଂସ୍କୃତି ଓ ଦର୍ଶନର ଭାବଧାରା ପ୍ରଭାହିତ ।

 

One thought on “ଓଡ଼ିଶାର କିମ୍ବଦନ୍ତୀ ସାରସ୍ଵତ ପ୍ରତିଭା ପଦ୍ମଭୂଷଣ ମନୋଜ ଦାସ

Leave a Reply

Your email address will not be published. Required fields are marked *