Skip to content
ଇଣ୍ଡିଆନ ସୁପର ଲିଗର ଅଷ୍ଟମ ସଂସ୍କରଣ ନଭେମ୍ବର ୧୯ ତାରିଖରୁ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ବିଗତ ସଂସ୍କରଣର ନୈରାଶ୍ୟ ଜନକ ପ୍ରଦର୍ଶନକୁ ଭୁଲି ଓଡ଼ିଶା ଏଫ୍.ସି ଆଇ.ଏସ୍.ଏଲ୍ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ଏଥର ପଡିଆକୁ ଓଳ୍ହାଇବ। ଆସନ୍ତା ୨୪ ନଭେମ୍ବରରେ ଶକ୍ତିଶାଳୀ ବେଙ୍ଗାଲୁରୁ ଏଫ୍.ସି ବିପକ୍ଷରେ ଖେଳି ନିଜର ଅଭିଯାନ ଆରମ୍ଭ ଓଡ଼ିଶା ଏଫ୍.ସି। ଯୁବ ତଥା ଅଭିଜ୍ଞ ଖେଳାଳିଙ୍କ ସମନ୍ଵୟକୁ ନେଇ ଦଳ ବେଶ ସନ୍ତୁଳିତ। ଅଷ୍ଟମ ସଂସ୍କରଣ ପାଇଁ ଓଡ଼ିଶା ଏଫ୍.ସି ୬ ଜଣ ବିଦେଶୀ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛି, ଯେଉଁମାନେ ଦଳର ଭାରତୀୟ ଖେଳାଳିଙ୍କୁ ଦିଗଦର୍ଶନ ଦେବା ସହ ଦଳର ବିଜୟ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ଲିରିଡନ କ୍ରାସ୍ନିକି : ୨୯ ବର୍ଷୀୟ ଏହି ମାଲେସିୟାନ ଅଟାକିଂ ମିଡଫିଲ୍ଡର ୩ଟି ଦେଶର ଜାତୀୟ ଦଳରେ ଖେଳିବାର ବିରଳ ଗୌରବ ହାସଲ କରିଛନ୍ତି। ଚଳିତ ବର୍ଷ ସେ ମାଲେସିଆ ପାଇଁ ପଦାର୍ପଣ କରିବା ପୂର୍ବରୁ କୋସୋଭୋର ଜାତୀୟ ଦଳ ପାଇଁ ପ୍ରତିନିଧିତ୍ଵ କରିଛନ୍ତି। ସେହିପରି ସେ ଆଲବେନିଆର ୨୧ ବର୍ଷରୁ କମ୍ ଜାତୀୟ ଦଳ ପାଇଁ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି। ଓଡ଼ିଶା ଏଫ୍.ସିରେ ଯୋଗଦେବା ପୂର୍ବରୁ ସେ ଗତବର୍ଷ ମାଲେସିଆର ପେଷାଦାର ଫୁଟବଲ କ୍ଲବ୍ ଜୋହର ଦାରୁଲ ତାଜିମ ଓ ଅଷ୍ଟ୍ରେଲିଆର ନ୍ୟୁ କାସେଲ ଜେଟ୍ସ ପାଇଁ ଖେଳିଛନ୍ତି। ୨୦୧୧ ମସିହାରେ ଚେକ୍ ରିପବ୍ଲିକରେ ନିଜର ପେଷାଦାର ଫୁଟବଲ କ୍ୟାରିୟର ଆରମ୍ଭ କରିଥିବା କ୍ରାସ୍ନିକି ତୁର୍କୀ ଓ ମାଲେସିଆରେ ବିଭିହ୍ନ କ୍ଲବ ପାଇଁ ଖେଳିବାର ଅଭିଜ୍ଞାତ ହାସଲ କରିଛନ୍ତି। ସେ ଉଭୟ ଆଟାକିଙ୍ଗ ଓ ଡିଫେନ୍ସିଭ ଶୈଳୀରେ ଖେଳିବା ପାଇଁ ସମର୍ଥ। ଏଥର ଓଡ଼ିଶା ଏଫ୍.ସି ପାଇଁ ଭଲ ପ୍ରଦର୍ଶନ କରି ନିଜର ଆଇ.ଏସ୍.ଏଲ୍ ପଦାର୍ପଣକୁ ସ୍ମରଣୀୟ କରିବାକୁ ଚାହିଁବେ କ୍ରାସ୍ନିକି।
ହାଭି ହେର୍ଣ୍ଣାଣ୍ଡେଜ୍ : ୩୨ ବର୍ଷୀୟ ଏହି ସ୍ପାନିସ ଅଟାକିଂ ମିଡଫିଲ୍ଡର ଓଡ଼ିଶା ଏଫ୍.ସି ସହ ଚୁକ୍ତି କରିବା ପୂର୍ବରୁ ବିଗତ ଦୁଇଟି ସଂସ୍କରଣ ଏଟିକେ ମୋହନ ବଗାନ ଦଳ ପାଇଁ ଖେଳିଛନ୍ତି। ସେ ଆଇ.ଏସ୍.ଏଲରେ ସମୁଦାୟ ୩୭ଟି ମ୍ୟାଚ ଖେଳିଛନ୍ତି ଓ ଏହାର ଷଷ୍ଠ ସଂସ୍କରଣର ଫାଇନାଲ ମୁକାବିଲାରେ ୨ଟି ଗୋଲ ସ୍କୋର କରି ଏଟିକେର ଟ୍ରଫି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ପେନର ୧୯ ବର୍ଷରୁ କମ୍ ଜାତୀୟ ଦଳ ପାଇଁ ଖେଳିବାର ଅଭିଜ୍ଞତା ରଖିଥିବାଏହି ଖେଳାଳି କନିଷ୍ଠ ବର୍ଗରେ ସିଡିଏଫ ପିଜିର୍ରାଲେସ, ସଲାମାନ୍କା, ରିଅଲ ମାଡ୍ରିଡ ପାଇଁ ଖେଳିଛନ୍ତି। ରିଅଲ ମାଡ୍ରିଡ ବି ପାଇଁ ନିଜର ବରିଷ୍ଠ ପଦାର୍ପଣ ମ୍ୟଚ ଖେଳିଥିବା ଏହି ଖେଳାଳି ନିଜ କ୍ୟାରିୟରରେ ସ୍ପେନ, ପୋଲାଣ୍ଡ ଓ ଆଜାରବେଜାନର ବିଭିହ୍ନ ପେଷାଦାର କ୍ଲବ ପାଇଁ ଖେଳିଛନ୍ତି। ହାଭିଙ୍କ ଭଳି ଅଭିଜ୍ଞତା ସମ୍ପନ୍ନ ଖେଳାଳି ଓଡ଼ିଶା ଏଫ୍.ସିର ଶିବିରରେ ସାମିଲ ହେବା ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ।
ହେକ୍ଟର ରୋଡାସ : ସ୍ପେନର ଭାଲେନ୍ସିଆରେ ଜନ୍ମଗ୍ରହଣ କରିଥିବା ୩୩ ବର୍ଷୀୟ ଏହି ଖେଳାଳି ସ୍ପାନିସ ଲୋୟର ଲିଗରେ ଖେଳୁଥିବା ଲେଭେଣ୍ଟେର କନିଷ୍ଠ ଦଳ ପାଇଁ ଖେଳି ୨୦୦୭ ମସିହାରେ ନିଜର ପେଷାଦାର ଖେଳାଳି ଜୀବନ ଆରମ୍ଭ କରିଥିଲେ। ୨୦୧୦ ମସିହାରେ ଲେଭାଣ୍ଟେ ଦଳ ପାଇଁ ପ୍ରତିନିଧିତ୍ଵ କରି ସେ ନିଜର ପ୍ରଥମ ଲା-ଲିଗା ପଦାର୍ପଣ ମ୍ୟାଚ ଖେଳିଛନ୍ତି। ସେ ୮୨ଟି ଲା-ଲିଗା ମ୍ୟାଚ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି। ନିଜର ପେଷାଦାର ଫୁଟବଲ କ୍ୟାରିୟରରେ ସେ ସ୍ପେନର ରିଅଲ୍ ବେଟିସ୍, କର୍ଡୋବା, ସେର୍କଲ୍ ବ୍ରୁଜ୍, ଆଲକୋରକନ୍ ଏବଂ କାଲ୍ଚୁରାଲ ଲିଓନେସା ଭଳି ଦଳ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ଓଡ଼ିଶା ଏଫ୍.ସି ୩ ଜଣ ଅଧିନାୟକଙ୍କ ନେତୃତ୍ବରେ ଏହି ସଂସ୍କରଣ ଖେଳିବା ପାଇଁ ସ୍ଥିର କରିଥିବା ବେଳେ ହେକ୍ଟର ସେହି ତିନି ଜଣଙ୍କ ମଧ୍ୟରୁ ଜଣେ।
ଭିକ୍ଟର ମୋଙ୍ଗିଲ : ୨୯ ବର୍ଷୀୟ ଭିକ୍ଟର ସ୍ପାନିସ କ୍ଲବ୍ ଭାଲାଡୋଲିଡ୍ ସହ ନିଜର ଯୁବ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୨୦୧୧ -୧୨ ସିଜନରେ ମୁଖ୍ୟ ଦଳର ପ୍ରତିନିଧିତ୍ୱ କରିବା ପୂର୍ବରୁ ସେମାନଙ୍କ ବି ଦଳ ପାଇଁ ଖେଳିଥିଲେ। ଏହା ପରେ ସେ ୨୦୧୯ ରେ ଜର୍ଜିଆର ପେସାଦାର କ୍ଲବ୍ ଏଫ୍.ସି ଡାଇନାମୋ ଟିବିଲିସି ସହ ଚୁକ୍ତି କରିବା ପୂର୍ବରୁ ଆଟଲେଟିକୋ ମାଡ୍ରିଡ୍ ବି ସମେତ ସ୍ପେନର ବିଭିନ୍ନ କ୍ଲବ୍ ପାଇଁ ଖେଳିଥିଲେ। ଏହି ଅଭିଜ୍ଞ ସେଣ୍ଟର୍-ବ୍ୟାକ୍ ଆଇ.ଏସ୍.ଏଲ୍ ୨୦୧୯ -୨୦ ର ମଧ୍ୟଭାଗରେ ଏଟିକେ ଦଳ ସହ ଯୋଡି ହୋଇଥିଲେ ଓ ଦଳକୁ ଟାଇଟେଲ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୨୦ ରେ ଏଟିକେ ସହ ରହିବା ପରେ ସେ ପୁଣିଥରେ ଡାଇନାମୋ ଟିବିଲିସି ଫେରି ଆସିଥିଲେ। ସ୍ପେନର ୧୭ ବର୍ଷରୁ କମ୍ ଜାତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିବାର ଅଭିଜ୍ଞତା ରଖିଥିବା ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ଫୁଟବଲ ପ୍ରେମୀଙ୍କ ନିଶ୍ଚୟ ନଜର ରହିବ।
ଆରିଡାଇ କାବ୍ରେରା: ୩୨ ବର୍ଷୀୟ ଏହି ୱିଙ୍ଗର ସ୍ପେନରେ ବିଭିହ୍ନ ପେଷାଦାର କ୍ଲବ ପାଇଁ ଖେଳି ଢେର ଅଭିଜ୍ଞତା ହାସଲ କରିଛନ୍ତି। ସେ ଆରସିଡି ମଲୋର୍କା, ଗିରୋନା ଏଫସି, ବେଟିସ୍ ‘ବି’, ହସ୍ପିଟାଲେଟ, ସାବଡେଲ୍ ଏଫ୍.ସି , ହୁରାକାନ୍, ଭାଲେନ୍ସିଆ ‘ବି’, ଲିଓନେସା ଏବଂ ଲାସ୍ ପାଲମା ଭଳି କ୍ଲବରେ ସେଗୁଣ୍ଡା ଡିଭିଜନ ଓ ଲା-ଲିଗା ମ୍ୟାଚ ଖେଳିଛନ୍ତି। ସେ ଇଣ୍ଡିଆନ ସୁପର ଲିଗରେ ଓଡ଼ିଶା ଏଫ୍.ସି ପାଇଁ ଭଲ ଖେଳି ଭାରତୀୟ ଫୁଟବଲ ପ୍ରେମୀଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିବାକୁ ଚେଷ୍ଟା କରିବେ।
ଜୋନାଥସ ଡେ ଯିଶସ୍: ୩୨ ବର୍ଷୀୟ ଏହି ଅଭିଜ୍ଞ ବ୍ରାଜିଲିୟନ ଷ୍ଟ୍ରାଇକର ବ୍ରାଜିଲ, ନେଦରଲାଣ୍ଡ, ସ୍ପେନ, ଜର୍ମାନୀ, ଇଟାଲୀ, ଋଷିଆ, ୟୁଏଇରେ ବିଭିହ୍ନ କ୍ଲବ ପାଇଁ ଖେଳିଛନ୍ତି। ସେ ୨୦୦୮ ମସିହାରେ ବ୍ରାଜିଲର ୧୯ ବର୍ଷରୁ କମ୍ ଜାତୀୟ ଦଳ ପାଇଁ ପ୍ରତିନିଧିତ୍ଵ କରିଛନ୍ତି। ଚଳିତ ବର୍ଷ ଓଡ଼ିଶା ଏଫ୍.ସିରେ ଯୋଗ ଦେବା ପୂର୍ବରୁ ସେ ୟୁଏଇରେ ସାରଜା ଏଫ୍.ସି ଓ ହଟ୍ଟା ଏଫ୍.ସି ପାଇଁ ଖେଳିଛନ୍ତି। ଚଳିତ ବର୍ଷ ଆଇ.ଏସ୍.ଏଲରେ ଜନାଥସ ବିପକ୍ଷ ଡିଫେଣ୍ଡର ମାନଙ୍କ ପାଇଁ ଦୁଃସ୍ଵପ୍ନ ସାବ୍ୟସ୍ତ ହୋଇ ପାରନ୍ତି। ସେ ଇଣ୍ଡିଆନ ସୁପର ଲିଗର ଅଷ୍ଟମ ସଂସ୍କରଣରେ ଓଡ଼ିଶା ଏଫ୍.ସି ପକ୍ଷରୁ ଗୋଲଡେନ ବୁଟ ହାସଲ ଦୌଡରେ ପ୍ରମୁଖ ଖେଳାଳି ରହିବେ।