ବାରମାସରେ ତେରପର୍ବ ଓଡ଼ିଶାରେ ପାଳନ କରାଯାଏ। ଆଶ୍ୱିନ ମାସର କାଶତଣ୍ଡି ଫୁଲରେ ମୁଗ୍ଧ ହୋଇ ଜଗତ ଜନନୀ ମା ଦୁର୍ଗା ଧରାପୁଷ୍ଟରେ ଅବତରଣ କରନ୍ତି। ଶରତ ଋତୁର ଶେଷ ବେଳକୁ ମା’ଙ୍କର ଶାରଦୀୟ ପୂଜା ପରେ ପରେ ହେମନ୍ତ ଋତୁର ଆଗମନ ହୋଇଥାଏ। ଆଶ୍ୱିନ ପୂର୍ଣ୍ଣିମା “କୁମାର ପୂର୍ଣ୍ଣିମା” ନାମରେ ପରିଚିତ। ଏହିଦିନ ପ୍ରତ୍ୟୁଷରେ କୁମାରୀ ମାନଙ୍କ ଦ୍ୱାରା ସୂର୍ଯ୍ୟଙ୍କୁ ଏବଂ ସନ୍ଧ୍ୟା ଆଗମନରେ ଚନ୍ଦ୍ରକୁ ପୂଜା କରାଯାଏ। ଗୌରୀ ନନ୍ଦନ କାର୍ତ୍ତିକେୟଙ୍କର ଅନ୍ୟ ନାମ କୁମାର। ଆଶ୍ୱିନ ପୂର୍ଣ୍ଣିମା ଦିନ ମା ଗୌରୀ କାର୍ତ୍ତିକେୟଙ୍କୁ ଲାଭ କରିଥିବାରୁ ଅନେକ ଏହି ପୂର୍ଣ୍ଣିମାକୁ “କୁମାର ପୂର୍ଣ୍ଣିମା” ବୋଲି କହିଥାନ୍ତି। ଶରତକୁ ବିଦାୟ ଦେଇ ହେମନ୍ତ ଋତୁର ଆଗମନକୁ କୁମାର କୁମାରୀ ମାନେ ସାରା ରାତି ଉଜାଗର ରହି ଏହି ପୂଣ୍ଣିମାକୁ ପାଳନ କରିଥାନ୍ତି। କାଳକ୍ରମେ କୁମାର ମାନଙ୍କ ଅପେକ୍ଷା କୁମାରୀ ମାନେ ଏହି ପୂର୍ଣ୍ଣିମାକୁ ମନଭରି ଉପଭୋଗ କରିଥାନ୍ତି ସତେ ଯେପରି ତାଙ୍କ ପାଇଁ ଏହି ଦିନଟିକୁ କୁଆଁରୀ ପର୍ବ ବୋଲି ପାଳନ କରିଥାନ୍ତି। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ସୁତରାଂ ରଥଯାତ୍ରା, ହୋଲି, ରଜ, କୁମାରପୂର୍ଣ୍ଣିମା, ଏସବୁ ପର୍ବରେ ଗ୍ରାମାଞ୍ଚଳରେ ସବୁ ଶ୍ରେଣୀର ଲୋକେ ଆନନ୍ଦ ଉଲ୍ଲାସ କରିବା ପାଇଁ ସୁଯୋଗ ପାଆନ୍ତି। ଏହି ଦିନରେ କୁଆଁରୀ ମାନେ ଦଳ ଦଳ ହୋଇ ଓଡ଼ିଶାର ସେଇ ଅତିପ୍ରିୟ ଲୋକ ଗୀତ – କୁଆଁର ପୁନେଇଁ ଜହ୍ନଲୋ – ଫୁଲ ବଉଳ ଦେଶିକୁ ଶୁଲଳିତ କଣ୍ଠରେ ଗାଇ ପଲ୍ଲୀ ଦାଣ୍ଡକୁ ମୁଖରିତ କରିଥାନ୍ତି।
କୁମାର ପୁନେଇ ଜହ୍ନ ଲୋ ଫୁଲ ବଉଳ ବେନି
ସମସ୍ତ ଭଉଣୀ ମାନଙ୍କୁ ମୋର ପବିତ୍ର କୁମାର ପୂର୍ଣ୍ଣିମା ର ହାର୍ଦିକ ଅଭିନନ୍ଦନ
ମୋ ଆର୍ଟ pic.twitter.com/MDr3Z57fPD
— suriya artist (@ArtistSuriya) October 20, 2021
ଇନ୍ଦୁ ପୂର୍ଣ୍ଣିମା ବା ଭାଦ୍ରବ ପୂର୍ଣ୍ଣିମା ଠାରୁ ଜହ୍ନି ଓଷା ଆରମ୍ଭ ହୋଇ ଅଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଦିନ ସମାପନ ହୋଇଥାଏ। ଜହ୍ନିଓଷା କେବଳ କୁଆଁରୀ ମାନଙ୍କର ଓଷା। ଚଉରା ମୂଳରେ ଜହ୍ନିଫୁଲର ଝୋଟି କରି ଜହ୍ନି ଓଷା ବ୍ରତ ବହି ପଢ଼ାଯାଏ। ଏହି ପୂଜା ମୁଖ୍ୟତଃ ବୃନ୍ଦାବତୀଙ୍କର ପୂଜା। ଅନେକ ସ୍ଥାନରେ ଯେଉଁ ଝିଅମାନେ ଜହ୍ନିଓଷା ପାଳନ କରିଥାନ୍ତି ସେମାନେ ମାସଟି ଯାକ ଜହ୍ନି ଖାଆନ୍ତି ନାହିଁ । ଜହ୍ନି ଓଷା ସରିଲେ ଝିଅମାନେ ଗାଁ ଦାଣ୍ଡରେ ପୁଚି ଖେଳିବା ସହିତ କୁଆଁର ପୁନେଇଁ ଗୀତ ବୋଲନ୍ତି। ଭାଦ୍ରବ ପୂର୍ଣ୍ଣିମା ଠାରୁ ପ୍ରତିଦିନ ଚଉରା ମୂଳରେ ସନ୍ଧ୍ୟା ପୂର୍ବରୁ ପୂଜା କରନ୍ତି। ଆଶ୍ଵୀନ ମାସ ଶୁକ୍ଲପକ୍ଷ ମହାଅଷ୍ଟମୀ ଠାରୁ ସନ୍ଧ୍ୟାରେ ଚନ୍ଦ୍ରଙ୍କ ବୃଦ୍ଧି ଅନୁସାରେ ଚଉରାମୂଳେ ଜହ୍ନିଫୁଲକୁ ଚାନ୍ଦ ଭଳି ସଜାଇ ଝୋଟି କରି ପୂଜା କରନ୍ତି।
ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ ନିୟମର ଅନୁପାଳନ କରି ପୂଜାରେ ସାମିଲ ହୁଅନ୍ତୁ। ପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହ ଜୀବନ ସୁଖ, ଶାନ୍ତିରେ ଭରିଯାଉ। pic.twitter.com/kG05aucaI5
— Naveen Patnaik (@Naveen_Odisha) October 20, 2021
କୁମାର ପୂର୍ଣ୍ଣିମା ଦିନ ଝିଅମାନେ ସାଙ୍ଗସାଥି ହୋଇ ବାଡ଼ିଭୋଗରୁ ଗାଁ ପୋଖରୀରେ ହଳଦୀ ଲଗାଇ ମୁଣ୍ଡ ଧୋଇ ଗାଧୋଇ ଆସନ୍ତି। ସମସ୍ତେ ନୂଆ ଲୁଗା ପିନ୍ଧିବା ସହିତ ଚନ୍ଦନ, ସିନ୍ଦୁର, ଅଳତା, ଲଗାଇ, ଘର ଅଗଣାରେ ଥିବା ଚଉରାମୂଳକୁ ଆସି ଯାଆନ୍ତି। ମା ଖୁଡିମାନେ କୂଳରେ ଅଛଡା ଖଇ, ନଡ଼ିଆ, ଗୁଆ, ଆଖୁ, ଅଦା, କଦଳୀ, କାକୁଡି, କଷି ଜହ୍ନି, ଛେନା, ଖସାଲଡୁ ପ୍ରଭୁତି ପୂଜା ସାମଗ୍ରୀ ସଜାଡି ରଖନ୍ତି। ସୂର୍ଯ୍ୟ ଉଦୟ ହେବା ମାତ୍ରେ ବୃନ୍ଦାବତୀଙ୍କୁ ସିନ୍ଦୁର ଧୂପ, ଦୀପ, ଦେଇ ପୂଜା କରନ୍ତି। କେତେକ ସ୍ଥାନରେ ପରିହାସ ସମ୍ପର୍କୀୟା ଆଈ, ଭାଉଜ, ପ୍ରଭୃତି ସାଧବା ସ୍ତ୍ରୀ ଲୋକମାନେ ଝିଅମାନଙ୍କୁ ଆଞ୍ଜୁଳି ଧରାନ୍ତି। ଝିଅମାନେ ହୁଳହୁଳି ପକାଇ ବାଳ ସୂର୍ଯ୍ୟଙ୍କୁ ଚାହିଁ ସାତଥର ଲେଖାଏଁ ଖାଇରେ ଆଞ୍ଜୁଳି ଟେକନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଖରା ଆସିଗଲାପରେ ଆଞ୍ଜୁଳି ଟେକିଲେ ବୁଢ଼ାବର ମିଳିବ। ତେଣୁ ଝିଅମାନେ କିପରି ବାଳସୂର୍ଯ୍ୟଙ୍କୁ ଶୀଘ୍ର ଆଞ୍ଜୁଳି ଟେକିବେ ସେଥିପାଇଁ ରାତି ପାଇବାକୁ ଅଳ୍ପ ସମୟ ଥିବ ମା ମାନେ ଉଠାଇ ଦେଇ ନିତ୍ୟକର୍ମ ସାରିଦିଅନ୍ତି। ଆଞ୍ଜୁଳି ଟେକିଥିବା ଝିଅମାନେ ପୂର୍ଣ୍ଣିମା ଦିନ ଭାତ ନଖାଇ କେବଳ ପିଠା ପଣା ଖଇ ରୁହନ୍ତି।
ଓଡ଼ିଆ ସାମାଜିକ ଜନଜୀବନରେ କୁମାର କୁମାରୀ ମାନଙ୍କ ସ୍ୱତନ୍ତ୍ର ପର୍ବ ପବିତ୍ର ‘କୁମାର ପୂର୍ଣ୍ଣିମା’ ଉପଲକ୍ଷେ ସମସ୍ତଙ୍କୁ ମୋର ଅଭିନନ୍ଦନ । ଧାର୍ମିକ ସାମାଜିକ ଭାବଧାରାର ଏହି ଅନନ୍ୟ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ । pic.twitter.com/eb7Ag3AgTY
— Dharmendra Pradhan (@dpradhanbjp) October 20, 2021
କୁମାର ପୂର୍ଣ୍ଣିମା ଦିନ ମା ଲଷ୍ମୀଙ୍କୁ ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବୋଲି ମଧ୍ୟ କହିଥାନ୍ତି। ଓଡ଼ିଶାର ଡେଙ୍କାନାଳ ଓ କେନ୍ଦ୍ରାପଡାରେ କୁମାର ପୂର୍ଣ୍ଣିମା ଦିନ ଗଜଲକ୍ଷ୍ମୀଙ୍କର ପୂଜା ବହୁତ ଧୂମଧାମରେ ପାଳନ କରାଯାଏ। ସକାଳ ବ୍ରହ୍ମ ମୁହୂର୍ତ୍ତରେ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିବା ଭଳି ପୁଣି ଝିଅମାନେ ସନ୍ଧ୍ୟା ସମୟରେ ଚନ୍ଦ୍ରକୁ ପୂଜା କରିବାକୁ ଚଉରା ମୂଳେ ଏକାଠି ହୁଅନ୍ତି। ସୁନ୍ଦର ବରପାଇବା ପାଇଁ କୁମାରୀ ମାନେ ଗୋଧୂଳି ବେଳାରେ ଚାନ୍ଦ ଉଠୁ ନଉଠୁଣୁ ପୂଜା ଆରମ୍ଭ କରିଥାନ୍ତି। ଲିଆ, ନଡ଼ିଆ, ଛେନା, କଦଳୀ, ଗୁଡ଼, ପ୍ରଭୁତିକୁ ଚକଟି ଜହ୍ନିପତ୍ର କିମ୍ବା କାକୁଡି ପତ୍ରରେ ସେହି ଚଟକାରେ ଚାନ୍ଦର ଆକୃତି ତିଆରି କରନ୍ତି। ଜହ୍ନିଫୁଲକୁ ଆଞ୍ଜୁଳିରେ ଧରି ଚନ୍ଦ୍ରକୁ ବନ୍ଦାପନା କରନ୍ତି। ପୂଜା ଶେଷରେ କୁମାରୀ ମାନେ ରୂପ, ଗୁଣ, ସମ୍ପନ୍ନ କାର୍ତ୍ତିକେୟଙ୍କ ପାରି ସ୍ୱମୀ ପାଇବା ପାଇଁ କାମନା କରି ମୁଣ୍ଡିଆ ମାରନ୍ତି। ଚଟକା ଚାନ୍ଦଭୋଗକୁ କୁମାରୀ ମାନେ ତାଙ୍କର ଅତିପ୍ରିୟ ସାଙ୍ଗକୁ ଖୁଆଇ ଆଜିଠାରୁ ସେ “ଚାନ୍ଦ” ବୋଲି ସମ୍ବୋଧନ କରନ୍ତି। ହେଲେ ଏବେ ସେ ଚାନ୍ଦ ବସିବା ପରମ୍ପରା ଆଉ ଦେଖିବାକୁ ମିଳୁନାହିଁ ।
ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତେ ସୁଖ ଓ ଶାନ୍ତିରେ ରୁହନ୍ତୁ . pic.twitter.com/jUJt2BIzK0
— Sudarsan Pattnaik (@sudarsansand) October 19, 2021
ଚାନ୍ଦ ପୂଜା ସାରିବା ପାରେ ଝିଅ ବହୁମାନଙ୍କର କୁଆଁର ପୁନେଇଁ ଗୀତ ବୋଳା ଆରମ୍ଭ ହୋଇଯାଏ। ପୂର୍ଣ୍ଣିମାର ତୋଫା ଆଲୁଅରେ ବିଭିନ୍ନ ପ୍ରକାର ଖେଳକୁଦ ଯଥା – ଠିଆପୁଚି, ବସାପୁଚି, ଛକିପାଲା, ବାଘମନ୍ଦାରୀ, ଗାଡ଼ିଶାଗଡି ପ୍ରଭୁତି ଖେଳ ଗାଁ ଦାଣ୍ଡରେ ଜମିଥାଏ। ଏଥିରେ ପୁଚିଖେଳ ହେଉଛି ମୁଖ୍ୟ ଖେଳ। ଦଳ ଦଳ ହୋଇ ଝିଅପିଲାମାନଙ୍କର ପୁଚିଖେଳକୁ ସମସ୍ତେ ଉପଭୋଗ କରନ୍ତି। ମୁଖ୍ୟତଃ ଭାଉଜମାନେ ଖେଳ ସହିତ କୁଆଁର ପୁନେଇଁର ମଜାଳିଆ ଗୀତ ନଣନ୍ଦମାନଙ୍କୁ ଶିଖାଇଥାନ୍ତି। ଏହି ପର୍ବରେ ନଣନ୍ଦ ଭାଉଜର ସ୍ନେହ ସମ୍ପର୍କ ଅତି ନିବିଡ଼ ହୋଇଯାଏ। ପୂର୍ଣ୍ଣିମା ରାତି କିପରି ସରିଯାଏ କେହି ଜାଣିପାରନ୍ତି ନାହିଁ। ବର୍ତ୍ତମାନ ଅନେକ ଗ୍ରାମରେ କୁମାର ଉତ୍ସବ ସମିତି ଗଠନ କରାଯାଇ ସାରା ରାତି ନାଚ ଗୀତରେ ବିତି ଯାଉଛି। ହେଲେ ଗାଁର ବୟସ୍କା ମହିଳା ମାନେ କୁହନ୍ତି, ଏବେ ପୂର୍ବଭଳି କୁଆଁର ପୁନେଇଁ ପାଳନ କରାଯାଉ ନାହିଁ। ଆଜିକାଲିର ଝିଅମାନେ ପରମ୍ପରାକୁ ବଜାୟ ରଖିବା ପାଇଁ ନିଜ ନିଜ ଘର ଚଉରାମୂଳରେ ଆଞ୍ଜୁଳି ଟେକି ଦେଉଛନ୍ତି। ସେଥିରେ ନା ଅଛି ଶିତୁଆ ସକାଳ ପୋଖରୀ ଗାଧୁଆ ନା ଅଛି ପୁଚି ଖେଳର ମଜା। ତଥାପି କୁଆଁର ପୁନେଇଁ ଗୀତର ମାଧୁର୍ଯ୍ୟ ଆଜି ମଧ୍ୟ ଓଡିଆ ହୃଦୟକୁ ବାନ୍ଧି ରଖିଛି।