ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ। ନୂଆଁଖାଇ ଧାନ ଆମଳର ଖୁସି ପାଳନ କରିବା ନିମନ୍ତେ କରାଯାଇଥାଏ। ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଇଥାଏ। ଏହା ନୂଆଁଖାଇ ପରବ ନାମରେ ମଧ୍ୟ ଜଣାଯାଏ। ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି।
ବର୍ଷା ଶେଷ ହେବାପରେ ଶରତ ଋତୁ ଧାରା ପୁଷ୍ଟରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକାଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଅମଳକ୍ଷମ ଧନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୁଆଁଖାଇ କୁହାଯାଏ। ନୁଆଁଖାଇ ପାଳନ ନିମନ୍ତେ ଆଗରୁ ଲଗ୍ନ ବା ତିଥି ନିର୍ଣ୍ଣୟ କରି ପୂଜା ଆଦି ସହ ଆରସା ପିଠା ଭୋଗ କରାଯାଏ।
ନୁଆଁଖାଇ ଏକ ଗଣପର୍ବ। ଗ୍ରାମ ବା ସହରରେ ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ଵିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଟ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଗ ଖାଇ ସାରି ଗ୍ରାମ ବା ସାହି ପଡିଶାରେ ଥିବା ସମସ୍ତ ବୟସ୍କମାନଙ୍କୁ ଭେଟି ଜୁହାର କରନ୍ତି। ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାହାନ୍ତି। ପରିବାର ମଧ୍ୟରେ ଥିବା ଭେଦ ଭାବ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ନୂଆଖାଇ ପର୍ବର ଏକ ବିଶେଷତ୍ୱ।