ଓଡ଼ିଶା ଏଫସି ପାଇଁ ଖେଳି ମୁଁ ଗର୍ବିତ : ଶୁଭମ ଷଡଙ୍ଗୀ
ରାଜ୍ୟର ଅନେକ ଖେଳାଳୀ ଜାତୀୟ ସ୍ତରରେ ନିଜ ନାମ କମାଇ ପାରିଛନ୍ତି। ଯେଉଁ କେତେଜଣ ଓଡ଼ିଆ ଖେଳାଳି ବିଗତ ୨-୩ ବର୍ଷ ମଧ୍ୟରେ କ୍ରୀଡାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣରେ ରହିଥିଲେ, ସେମାନଙ୍କ ମଧ୍ୟରେ ଫୁଟବଲର ଶୁଭମ ଷଡଙ୍ଗୀ ବେଶ୍ ଆଗରେ ରହିଛନ୍ତି। ଏହି ପ୍ରତିଭାବାନ ଖେଳାଳି ଇଣ୍ଡିଆନ ସୁପର ଲିଗ ଟିମ ଓଡ଼ିଶା ଏଫସିର ‘ଲୋକାଲ ଟୋକା’ ନାମରେ ଓଡ଼ିଆ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
Our very own #OdiaToka always smiling, always happy! ????#OdishaFC #AmaTeamAmaGame pic.twitter.com/9XYAj6AhIz
— Odisha FC (@OdishaFC) August 4, 2020
ତାଙ୍କ ଫୁଟବଲ କ୍ୟାରିୟର ଓ ଭବିଷ୍ୟତ ଯୋଜନା କଣ ରହିଛି। ନିଜ ସଂଘର୍ଷ ଓ ସଫଳତା ବିଷୟରେ ସେ କଣ କହିଛନ୍ତି, ଏହି ସାକ୍ଷାତକାର ମାଧ୍ୟମରେ ଆପଣମାନେ ଜାଣି ପାରିବେ।
୧- କେବେ ଓ କାହିଁକି ଆପଣ ନିଷ୍ପତ୍ତି ନେଲେ ଯେ, ଆପଣ ଜଣେ ଫୁଟବଲର ହେବେ ?
ପିଲାଟି ଦିନରୁ ମତେ ଫୁଟବଲ ଭାରି ପସନ୍ଦ। ମତେ ଯେତେବେଳେ ୧୨ ବର୍ଷ ବୟସ ହୋଇଥାଏ, ସ୍କୁଲରେ ପଢିବା ସମୟରେ ମତେ ଦିଲ୍ଲୀର ବାଳକ ଫୁଟବଲ ଦଳ ପାଇଁ ଖେଳିବାର ସୁଯୋଗ ମିଳିଥିଲା। କୋଲକାତାର କଲ୍ୟାଣି ଷ୍ଟାଡିୟମରେ ସର୍ବଭାରତୀୟ ପ୍ରତିଯୋଗୀତାରେ ଭଲ ପ୍ରଦର୍ଶନ କରି ଜାତୀୟ ବାଳକ ଦଳର ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଲି। ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରି ଜାତୀୟ ବାଳକ ଫୁଟବଲ ଦଳରେ ସ୍ଥାନ ପାଇ ଇରାନ ଗସ୍ତରେ ଯାଇଥିଲି। ଇରାନ ଗସ୍ତରୁ ଫେରିବା ପରେ ଭାବୁଥିଲି ମୋ ଜୀବନ ସବୁ ଛାତ୍ରଙ୍କ ଭଳି ପଢାପଢିରେ ହିଁ ଅଧିକାଂଶ ସମୟ ବିତାଇବି, କିନ୍ତୁ ବାପାଙ୍କ ସହ ବହୁବାର ବିଚାରବିମର୍ଷ କରି ଶେଷରେ ପେଷାଦାର ଫୁଟବଲର ହେବାକୁ ନିଷ୍ପତ୍ତି ନେଲି।
୨- ଭାରତୀୟ କନିଷ୍ଠ ଫୁଟବଲ ଦଳ, ଆସ୍ପାଇର ଏକାଡେମି, ଦିଲ୍ଲୀ ଡାୟନାମୋସ, ଓଡ଼ିଶା ଏଫସି, ଏହି ଯାତ୍ରା ଏପର୍ଯ୍ୟନ୍ତ କେମିତି ରହିଛି?
ବହୁତ ବଢିଆ ଅଭିଜ୍ଞତା ରହିଛି। ଅତୀତକୁ ଫେରିବାର ସୁଯୋଗ ମିଳିଥିଲେ ମୁଁ ସେହି ସ୍ମରଣୀୟ ମୁହୂର୍ତ୍ତ ଗୁଡିକର ପୁଣି ଆନନ୍ଦ ନେଇଥା’ନ୍ତି। ଛୋଟ ବୟସରୁ ହିଁ ମତେ ଅନେକ କିଛି ଶିଖିବାର ସୁଯୋଗ ମିଳିଛି। ଦିଲ୍ଲୀ ଦଳରୁ ମୋର କ୍ୟାରିୟର ଆରମ୍ଭ ହେଲା। ସେଠାରୁ ଜାତୀୟ ବାଳକ ଦଳ ପାଇଁ ଖେଳିଲି। ସେଠାରେ ପ୍ରଶିକ୍ଷଣ ବହୁତ ବଢିଆ ଥିଲା। ମତେ ଯେତେବେଳେ ମାତ୍ର ୧୭ ବର୍ଷ ହୋଇଥିଲା ଦିଲ୍ଲୀ ଡାଇନାମୋସ ପାଇଁ ଖେଳିବାର ସୁଯୋଗ ମିଳିଲା। ଏତେ କମ ବୟସରେ ବିଶ୍ଵର ପ୍ରତିଷ୍ଠିତ ଖେଳାଳିଙ୍କ ସହ ଖେଳିବାକୁ ସୁଯୋଗ ମିଳିବ ବୋଲି ଭାବି ନଥିଲି। ତା’ପରେ ଆସ୍ପାଇର ଏକାଡେମୀରେ ପ୍ରଶିକ୍ଷଣ ନେବାର ସୁଯୋଗ ମିଳିଲା। ଏହା ବ୍ୟକ୍ତିଗତ ସ୍ତରରେ ମୋ ଖେଳରେ ଉନ୍ନତି ଆଣିଲା। ତା’ପରେ ଓଡ଼ିଶା ଏଫସି ପାଇଁ ଖେଳିଲି, ଯାହାକି ମୋ କ୍ୟରିୟରର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଓ ଏଥି ପାଇଁ ମୁଁ ଗର୍ବିତ।
୩- ଏତେ କମ ବୟସରେ ଆପଣ ଫୁଟବଲରେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା ହୁଏତ ସମସ୍ତଙ୍କ ଭାଗ୍ୟରେ ନ ଥାଏ। ଆପଣ ଏହି ଖେଳରେ ଯାହା ବି ହାସଲ କରିଛନ୍ତି, ତାକୁ ନେଇ କେତେ ସନ୍ତୁଷ୍ଟ? ଏହି ଖେଳରେ ଶୁଭମଙ୍କର ଆଉ କଣ ସବୁ ସ୍ଵପ୍ନ ରହିଛି?
ଜଣେ ଜୀବନରେ ଯାହାବି ହାସଲ କରୁ ନା କାହିଁକି, ସେଥିରେ ସନ୍ତୁଷ୍ଟ ହେବା ଅନୁଚିତ। ଆମକୁ ଆହୁରି ଅନେକ କିଛି ହାସଲ କରିବା ପାଇଁ ଚେଷ୍ଟା କରିବା ଉଚିତ। ମୁଁ ଆଜି ଯାଏଁ ଯାହା ହାସଲ କରିଛି ସେଥିପାଇଁ ଖୁସି କିନ୍ତୁ ମୋର ସ୍ଵପ୍ନ ବହୁତ ବଡ। ଆହୁରି ଅନେକ କିଛି ହାସଲ କରିବାକୁ ଅଛି। ଏହି ଯାତ୍ରା ଏବେ ହିଁ ଆରମ୍ଭ ହୋଇଛି, ଏହା ବହୁତ ଲମ୍ବା ହେବ। ମୁଁ ଦେଶ ପାଇଁ ଖେଳିବାକୁ ଚାହେଁ ଓ ନିଶ୍ଚୟ ଖେଳିବି ।
୪- ଶୁଭମ ଜଣେ ଫୁଟବଲର ନ ହୋଇଥିଲେ, ସେ ଜୀବନରେ କଣ ହୋଇଥାନ୍ତେ?
ବହୁତ ବଢିଆ ପ୍ରଶ୍ନ। ମୁଁ ପିଲାବେଳେ ଲନ ଟେନିସ ମଧ୍ୟ ଖେଳୁଥିଲି। ମୋ ମାଆ ଚାହୁଁଥିଲେ କି ମୁଁ ଗଲ୍ଫ କିମ୍ବା ଟେନିସ ଭଳି ବ୍ୟକ୍ତିଗତ ଖେଳ ଖେଳେ। ଦିଲ୍ଲୀରେ ମୋ ଘର ସ୍କୁଲ ଠାରୁ ବହୁତ ଦୂରରେ ଥିଲା । ତେଣୁ ଫୁଟବଲ ପ୍ରଶିକ୍ଷଣ ପାଇଁ ବିଶେଷ ସୁଯୋଗ ମିଳିନଥିଲା। କେବଳ ସପ୍ତାହନ୍ତରେ ଫୁଟବଲ ଖେଳୁଥିଲି। ମୁଁ ୧୧ ବର୍ଷ ବୟସରେ ୧୪ ବର୍ଷରୁ କମ ମୋର ପ୍ରଥମ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଥିଲି। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ ଭଲ ପାଠ ବି ପଢୁଥିଲି। ଯଦି ମୁଁ ଫୁଟବଲର ନ ହୋଇଥାନ୍ତି, ତେବେ ଟେନିସ ଖେଳାଳି ନଚେତ ପାଠପଢା ମାଧ୍ୟମରେ କିଛି କରିଥାନ୍ତି।
୫- ଶୁଭମଙ୍କ ଆଦର୍ଶ ଖେଳାଳି କିଏ? ସେ କାହା ଭଳି ଖେଳାଳି ହେବାକୁ ଚାହୁଁଛନ୍ତି?
ସାଧାରଣତଃ ଅଧିକାଂଶ ଫୁଟବଲ ଖେଳାଳି ରୋନାଲ୍ଡୋ ଓ ମେସ୍ସିଙ୍କୁ ହିଁ ଆଦର୍ଶ ମାନନ୍ତି। ତେବେ ରୋନାଲ୍ଡୋଙ୍କ କଠୋର ପରିଶ୍ରମ ଓ ଖେଳିବା ଶୈଳୀ ମତେ ବେଶ ପ୍ରଭାବିତ କରିଛି। ତାଙ୍କର ଓ ମୋର ଖେଳିବାର ସ୍ଥାନ ଅଲଗା ଅଲଗା ତଥାପି ନିଜର ଲକ୍ଷ୍ୟ ହାସଲ ପାଇଁ ଯେଉଁ ଭଳି ପରିଶ୍ରମ କରନ୍ତି ତାହା ବେଶ ପ୍ରେରଣାଦାୟୀ।
୬- କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିରେ ଖେଳିବା ଓ ଗୋଆରେ ବାୟୋବବଲରେ ରହି ଖେଳିବା, ଅନୁଭୂତି କେମିତି ରହିଲା? ଏହି ଫରକ ଶୁଭମଙ୍କ ଓ ଦଳର ପ୍ରଦର୍ଶନରେ କେତେ ପ୍ରଭାବ ପକାଇଲା?
ଓଡ଼ିଶା ଏଫସି ଆରମ୍ଭ ହେଲା ପରେ ଆମକୁ କିଛି ପ୍ରାରମ୍ଭିକ ଘରୋଇ ମ୍ୟାଚ ପୁଣେରେ ଖେଳିବାକୁ ପଡିଥିଲା। କିନ୍ତୁ କଳିଙ୍ଗ ଷ୍ଟାଡିୟମରେ ବହୁସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ଖେଳିବାର ମଜା ଅଲଗା ଥିଲା। ଦର୍ଶକ ଓ ଜଗର୍ଣ୍ଣଟ୍ସ ଫ୍ୟାନଙ୍କ ପ୍ରୋତ୍ସାହନ ଯୋଗୁଁ ଆମେ ବେଶ ଉନ୍ନତ ଖେଳ ପ୍ରଦର୍ଶନ କଲୁ। ମୁଁ ଚାହେଁ ଦେଶରୁ ଖୁବଶୀଘ୍ର କରୋନା ହଟୁ ଓ ଆମକୁ ଦର୍ଶକଙ୍କ ଉପସ୍ଥିତିରେ ଖେଳିବାର ସୁଯୋଗ ମିଳୁ।
କରୋନା ଯୋଗୁଁ ଆମକୁ ବାୟୋବବଲରେ ରହି ୨୦୨୦-୨୧ ସିଜନ ଖେଳିବାକୁ ପଡିଲା। ଏହା ଯେ କେବଳ ମୋର ଓ ଆମ ଦଳର ପ୍ରଦର୍ଶନରେ ପ୍ରଭାବ ପକାଇଲା ତାହା ନୁହେଁ, ସମସ୍ତଙ୍କ ପ୍ରଦର୍ଶନରେ ଏହା ପ୍ରଭାବ ପକାଇଛି। ଆଇଏସଏଲ ରଦ୍ଦ ନ ହୋଇ ଏହା ଆୟୋଜିତ ହେଲା ତାହା ବଡକଥା।
କଳିଙ୍ଗ ମତେ ଖେଳିବାରେ ବହୁତ୍ ଆନନ୍ଦ ଦେଇଛି। ମୁଁ ବହୁତ୍ ଖୁସି। ଏଇଠି ହିଁ ରହିବି। ଏହା ହିଁ ମୋ ଘର, ଓଡିଶା FC।
I have enjoyed playing in front of the Kalinga faithful and I'm here to stay. To the great place that is home, Odisha FC!@OdishaFC #HereToStay #OdishaFC #AmaTeamAmaGame pic.twitter.com/EztVOGq76G
— Shubham Sarangi (@Sarangi_Shubham) April 30, 2020
୭- ଗମ୍ବାଓ ଓ ବାକ୍ସଟରଙ୍କ ମଧ୍ୟରେ କଣ ସମାନତା ଓ କଣ ଫରକ ରହିଛି ?
ଖେଳାଳିଙ୍କୁ ଦଳ ପାଇଁ ସଠିକ ବିନିଯୋଗ କରିବାରେ ଉଭୟ ପ୍ରଶିକ୍ଷକ ଧୁରନ୍ଧର। ଉଭୟେ ବେଶ ଅଭିଜ୍ଞ। ବିଭିନ୍ନ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶୈଳୀ ଭିନ୍ନ ଭିନ୍ନ ଥାଏ। ଗମ୍ବାଓଙ୍କ ଶୈଳୀ ଅନୁସାରେ ବଲକୁ ଅଧିକ ସମୟ ନିଜ ଆୟତ୍ତରେ ରଖି ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିଲୁ। କିନ୍ତୁ ବାକ୍ସଟରଙ୍କ ଶୈଳୀ ସାମାନ୍ୟ ରକ୍ଷଣାତ୍ମକ ଥିଲା। ଉଭୟଙ୍କ ଦିଗଦର୍ଶନରେ ଆମେ ଆମ ଖେଳରେ ସୁଧାର ଆଣିଛୁ।
୮- ଫୁଟବଲ କିମ୍ବଦନ୍ତୀ ଡେଭିଡ ଭିଲ୍ଲାଙ୍କ ସହ ଗମ୍ବାଓ ମଧ୍ୟ ଦଳର ଗ୍ଲୋବାଲ ଅପରେସନ ସହ ଯୋଡି ହେବାକୁ ଯାଉଛନ୍ତି, ଏହା ଦଳ ପାଇଁ କେତେ ଲାଭଦାୟକ ହେବ ?
ଏହା ନିଶ୍ଚିତ ଭାବେ ବହୁତ ବଡ ଚୁକ୍ତି । କେବଳ ଓଡ଼ିଶା ଏଫସି ପାଇଁ ନୁହେଁ ବରଂ ଆଇଏସଏଲ ପାଇଁ ଏହା ବେଶ ଗୁରୁତ୍ଵପୂର୍ଣ୍ଣ। ଡେଭିଡ ଭିଲ୍ଲା ଓ ଗମ୍ବାଓଙ୍କ ଅଭିଜ୍ଞତା ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ।
୯- ଓଡ଼ିଶା ଏଫସିର କେଉଁ କେଉଁ ଖେଳାଳି ଅପଣଙ୍କୁ ବେଶ ପ୍ରଭାବିତ କରିଛନ୍ତି?
ଓଡ଼ିଶା ଏଫସିର ପ୍ରଥମ ବର୍ଷ ଦଳର ଅଧିନାୟକ ଥିଲେ ମାର୍କସ ତେବାର। ସେ ଦଳର ସବୁ କନିଷ୍ଠ ଖେଳାଳିଙ୍କୁ ଦିଗଦର୍ଶନ ଦେବା ସହ ତାଙ୍କ ଅଭିଜ୍ଞାତ ବାଣ୍ଟୁଥିଲେ। ସେମାନଙ୍କ ତୃଟିକୁ ସୁଧାରି ଆହୁରି କିପରି ପଡିଆରେ ଭଲ ପ୍ରଦର୍ଶନ କରାଯାଇପାରିବ ସେଥି ପ୍ରତି ସେ ବେଶ ଗୁରୁତ୍ଵ ଦେଉଥିଲେ। ସେହିପରି ଆଉ ଜଣେ ବିଦେଶୀ ଖେଳାଳି ଯିଏ ମତେ ବେଶ ପ୍ରଭାବିତ କରିଥିଲେ ସେ ହେଉଛନ୍ତି ଆରିଡାନେ ସାଣ୍ଟାନା। ସେହିପରି ଏହି ବର୍ଷ କୋଲ ଆଲେକଜେଣ୍ଡରଙ୍କ ଖେଳ ମତେ ବେଶ ପ୍ରଭାବିତ କରିଛି।
୧୦- ଓଡ଼ିଶା ଏଫସିର ଅଭ୍ୟୁଦୟ ଓଡ଼ିଶାରେ ଫୁଟବଲର ଉତ୍ଥାନରେ କେତେ ସହାୟକ ହୋଇଛି ଓ ଭବିଷ୍ୟତରେ ରାଜ୍ୟରୁ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାରେ କିଭଳି ସହାୟକ ହେବ ବୋଲି ଆପଣ ଭାବୁଛନ୍ତି?
ଓଡ଼ିଶା ଏଫସିର ଅଭ୍ୟୁଦୟ ଓଡ଼ିଶା କ୍ରିଡା ଜଗତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ଦିଲ୍ଲୀ ଡାଇନାମୋସ ତଥା ଓଡ଼ିଶା ଏଫସି ସର୍ବଦା ଯୁବ ଖେଳାଳିଙ୍କ ଦକ୍ଷତା ବିକାଶ ଓ ତାଙ୍କୁ ପ୍ରୋତ୍ସାହନ ଦେବାରେ ଗୁରୁତ୍ଵ ଦେଇଆସିଛି। ରାଜ୍ୟର କୋଣ ଅନୁକୋଣକୁ ଯାଇ ପ୍ରତିଭାବାନ ଖେଳାଳି ସନ୍ଧାନ କରି ତାଙ୍କ ଖେଳର ବିକାଶ କରିବା ପାଇଁ ଓଡ଼ିଶା ଏଫସି ସଂକଳ୍ପବଦ୍ଧ। କୋଭିଡ ମହାମାରୀ ଯୋଗୁଁ ଟିମ କର୍ତ୍ତୁପକ୍ଷଙ୍କ ସମସ୍ତ ଯୋଜନା କାର୍ଯ୍ୟକାରି ହୋଇପାରି ନାହିଁ ସତ, କିନ୍ତୁ ଭବିଷ୍ୟତରେ ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯିବ।
୧୧- ଓଡ଼ିଶାରେ ଫୁଟବଲ ଓ ଅନ୍ୟାନ୍ୟ ଖେଳର ଭବିଷ୍ୟତ କେମିତି ଦେଖୁଛନ୍ତି?
ଓଡିଶାରେ କ୍ରିଡା ଓ କ୍ରୀଡାବିତଙ୍କ ଭବିଷ୍ୟତ ବେଶ ଉଜ୍ଵଳ। ଓଡ଼ିଶା ସରକାର ହକି, ଫୁଟବଲ ସମେତ ବିଭିନ୍ନ ଖେଳ ପାଇଁ ବିଶ୍ଵସ୍ତରୀୟ ଭିତ୍ତିଭୂମିର ବିକାଶ କରିଛନ୍ତି। ତାହା ବେଶ ପ୍ରଶଂସନୀୟ। ହକି ବିଶ୍ଵକପ ଆୟୋଜନ, ରାଜ୍ୟର ନିଜ ଆଇଏସଏଲ ଟିମ ଅଛି । ଏହି ସବୁ କାରଣ ଯୋଗୁଁ ଓଡ଼ିଶାକୁ ଦେଶର କ୍ରୀଡା ରାଜଧାନୀ କୁହାଯାଉଛି। କ୍ରୀଡା କ୍ଷେତ୍ରରେ ସରକାର ଯେଉଁ ଭଳି ଯୋଜନାବଦ୍ଧ ଭାବେ ବିନିଯୋଗ କରିଛନ୍ତି, ଏହାକୁ ଦେଖି ମୁଁ କହି ପାରିବି ଆହୁରି ଆନେକ ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବେ।
୧୨- ଭବିଷ୍ୟତ ପାଇଁ କଣ ଯୋଜନା ରହିଛି? ବିଦେଶୀ କ୍ଲବରୁ ସୁଯୋଗ ମିଳିଲେ, କେଉଁ ଦଳ ପାଇଁ ଖେଳିବାକୁ ଚାହିଁବେ?
ସବୁ ଖେଳାଳି ଚାହାଁନ୍ତି ସେମାନଙ୍କୁ ସୁଯୋଗ ମିଳିଲେ ବିଦେଶରେ ଭଲ କ୍ଲବ ପାଇଁ ଖେଳିବେ। ଭଲ ସୁଯୋଗ ମିଳିଲେ ମୁଁ ବି ବିଦେଶରେ ଭଲ କ୍ଲବ ପାଇଁ ଖେଳିବି। ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ଫୁଟବଲର ସ୍ତର ବଢିଛି। ଭାରତୀୟ କ୍ଲବ ଗୁଡିକ ବିଦେଶୀ କ୍ଲବ ଗୁଡିକ ଭଳି ପେଷାଦାର ହୋଇଛନ୍ତି। ମୋର ପସନ୍ଦର ବିଦେଶୀ କ୍ଲବ ହେଉଛି ମଞ୍ଚେଷ୍ଟର ୟୁନାଇଟେଡ। କିନ୍ତୁ ସେଠାକୁ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ କରିବାକୁ ହେବ। ସେ ବିଷୟରେ ମୁଁ ବେଶୀ ଭାବୁନାହି। ବର୍ତ୍ତମାନ ଓଡ଼ିଶା ଏଫସି ପାଇଁ କିପରି ଶ୍ରେଷ୍ଟ ପ୍ରଦର୍ଶନ କରିବି ତାହା ହିଁ ମୋର ଲକ୍ଷ୍ୟ।
୧୩- ଭବିଷ୍ୟତରେ ଫୁଟବଲର ହେବାକୁ ଚାହୁଁଥିବା ଯୁବ ଖେଳାଳିଙ୍କୁ ଶୁଭମ କଣ ବାର୍ତ୍ତା ଦେବାକୁ ଚାହିଁବେ ?
ପାଠ ହେଉ କି ଖେଳ, ଆମ ଯୁବପିଢିଙ୍କୁ ନିଜର ପ୍ୟାସନକୁ ଫଲୋ କରିବା ଉଚିତ। ସେମାନଙ୍କୁ ସ୍ଵପ୍ନ ଦେଖିବା ଉଚିତ ଓ ସେହି ସ୍ଵପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ ଓ ଆବଶ୍ୟକ ସ୍ଥଳେ କିଛି ତ୍ୟାଗ କରିବାକୁ ହେବ। ଯଦି ଆପଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି ତେବେ ଏହା ଆପଣଙ୍କୁ ଆତ୍ମତୃପ୍ତି ପ୍ରଦାନ କରିବ।
୧୪- ବର୍ତ୍ତମାନର କୋଭିଡ ପରିସ୍ଥିତି ମଧ୍ୟରେ ଆପଣଙ୍କର ସର୍ଜରୀ ହୋଇଛି, ଏଥିରୁ କିପରି ରିକଭରି କରୁଛନ୍ତି?
ମାର୍ଚ୍ଚ ମାସରେ ମୋର ସର୍ଜରୀ ହୋଇଥିଲା। ରିକଭରୀ ପାଇଁ ବାଙ୍ଗାଲୋର ଯାଇଥିଲି। ଭଗବାନଙ୍କ ଆଶୀର୍ବାଦରୁ ମୁଁ ବହୁତ ଶୀଘ୍ର ଆହତ ସମସ୍ୟାରୁ ମୁକ୍ତି ପାଉଛି। ସମସ୍ତଙ୍କର ଏକ ଧାରଣା ରହିଛି ଯେ, ଆହତ ହେଲାପରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟ ଓ ଶରୀରରେ ପୂର୍ବଭଳି ସ୍ପୁର୍ତ୍ତି ନଥାଏ । କିନ୍ତୁ ମୁଁ ମାନସିକ ସ୍ତରରେ ନିଜକୁ ଦୃଢ କରିଛି। ମୁଁ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବି। ମୁଁ ଖୁବଶୀଘ୍ର ପଡିଆକୁ ଫେରିବି।
I can’t wait to get back to the ground and start once again… Stronger! pic.twitter.com/5dvpyS15GX
— Shubham Sarangi (@Sarangi_Shubham) March 24, 2021