ପଞ୍ଚଲିଙ୍ଗେଶ୍ୱର ବାଲେଶ୍ୱର ଏକ ପ୍ରମୁଖ ଶୈବପୀଠ। ବାଲେଶ୍ୱର ଜିଲ୍ଲାର ନୀଳଗିରି ଠାରୁ ମାତ୍ର ୮ କିଲୋମିଟର ଦୂରରେ ଦେବଗିରି ପାହାଡ଼ରେ ପଞ୍ଚଲିଙ୍ଗେଶ୍ୱର ପୀଠ ରହିଛି। ଏଠାରେ ପାହାଚର ଖୋଲ ଭିତରେ ବହି ଯାଇଥିବା ଝରଣା ମଧ୍ୟରେ ଅବସ୍ଥାନ କରୁଛନ୍ତି ପାଞ୍ଚଟି ଶିବଲିଙ୍ଗ ସେହି ପାଞ୍ଚଟି ଶିବଲିଙ୍ଗ ହେଉଛନ୍ତି ମଣିନାଗେଶ୍ୱର, ବଙ୍କେଶ୍ଵର, ଗଡ଼ଗଡେଶ୍ଵର, ବାଣେଶ୍ଵର, ଓ ଖୁଜୁରେଶ୍ଵର। ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ପାହାଚ ଉପରେ ୩୦୦ରୁ ଅଧିକ ପାହାଚ ଛାଡିବାକୁ ହୋଇଥାଏ। ଭକ୍ତ ମାନେ ଜଳସ୍ରୋତ ମଧ୍ୟରେ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜା କରିଥାନ୍ତି। ଏଠାରେ ପ୍ରସ୍ତର ଉପରେ ବସି ପୂଜକ ପୂଜାର୍ଚନା କରିଥାନ୍ତି। ସବୁ ସମୟରେ ରାଜ୍ୟ ତଥା ବାହାରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ଏହି ଶୈବପୀଠକୁ। ଏହି ପୀଠର ନୈସର୍ଗିକ ସୁଷମା ସବୁ ସମୟରେ ପ୍ରକୃତିପ୍ରେମୀ, କବି, ଲେଖକ ଓ ସାଧାରଣ ଜନତାଙ୍କୁ ଆକୃଷ୍ଟ କରେ।
ପଞ୍ଚଲିଙ୍ଗେଶ୍ୱର ଆବିର୍ଭାବ ଓ ମହିମା ବିଷୟରେ ବହୁ କିମ୍ବଦନ୍ତୀ ଓ କାହାଣୀ ପ୍ରଚଳିତ। ପୌରାଣିକ କଥାବସ୍ତୁ ଅନୁଯାୟୀ, ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ପାଞ୍ଚଟି ଶିବଲିଙ୍ଗ ପ୍ରତିଷ୍ଠା କରି ପୂଜା କରୁଥିଲେ। ସେହି ଦିନ ଠାରୁ ଏହି ପାଞ୍ଚଗୋଟି ଶିବଲିଙ୍ଗ ପଞ୍ଚଲିଙ୍ଗେଶ୍ୱର ଭାବରେ ପୂଜା ପାଉଛନ୍ତି। ସେହିପରି ଐତିହାସିକ ମତଅନୁଯାୟୀ ପ୍ରାୟ ଅଢେଇଶହ ବର୍ଷ ତଳେ ଏହି ମନ୍ଦିର ତତ୍କାଳୀନ ନୀଳଗିରି ରାଜା ଶ୍ରୀକୃଷ୍ଣଚନ୍ଦ୍ର ମର୍ଦ୍ଧରାଜଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।
ଶିବରାତ୍ରୀ ସମୟରେ ମହାଦୀପ ଦେଖିବା ପାଇଁ ଭକ୍ତଙ୍କର ସୁଅ ଛୁଟିଥାଏ ପଞ୍ଚଲିଙ୍ଗେଶ୍ୱର ପୀଠକୁ। ଖରାଦିନେ ପାଣି ଶୁଖିଗଲା ପରେ ଭକ୍ତମାନେ ଶିବଲିଙ୍ଗଗୁଡିକର ଦର୍ଶନର ସୁଯୋଗ ପାଇଥାନ୍ତି। ଏହି ପୀଠର ଏକ ପ୍ରମୁଖ ଆକର୍ଷଣ ହେଲା ଦେବଗିରି ପର୍ବତମାଳା। ଦେବଗିରି ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ ଆକର୍ଷଣ କରିଥାଏ। ଏଠାକାର ଶାନ୍ତ ବାତାବରଣ,ବିଜନ ମାଧୁରୀ ଓ ଝରଣାର କୁଲୁ କୁଲୁ ନାଦ କ୍ଲାନ୍ତ ମନକୁ ସ୍ଵର୍ଗୀୟ ଆନନ୍ଦ ଦିଏ। ଦେବଗିରି ପର୍ବତର ଶିଖରରେ ମା ‘ ବନଦେବୀଙ୍କ ମନ୍ଦିର ରହିଛି. ଦେବଗିରି ପାହାଡ଼ରୁ ଓ଼ଲ୍ଳେଇବା ପରେ ପାହାଚ ଯେଉଁଠି ଆରମ୍ଭ ହୁଏ ସେଠାରେ ରହିଛି ଏକ ଛୋଟ ବଜାର ! ସେଠାରେ ଭକ୍ତପାଇଁ ପୂଜା ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ମିଳେ ।