ଭାରତୀୟ ସଂସ୍କୃତିରେ ଦୀପାବଳିର ମହତ୍ତ୍ୱ

ଭାରତୀୟ ଧର୍ମଧାରାରେ କାର୍ତ୍ତିକ ମାସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି।  ଭାଗବତ ଚିନ୍ତନ, ଦେବାଦେବୀ ଉପାସନା, ପିତୃପୁରୁଷଙ୍କ ଉଦ୍ଧେଶ୍ୟରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ପାଇଁ ଶ୍ରେଷ୍ଟ ଅଟେ କାର୍ତ୍ତିକ ମାସ।  ପବିତ୍ର କାର୍ତ୍ତିକ ମାସର ମଧ୍ୟଭାଗରେ ଦୀପାବଳି ଓ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୁଏ।  ଅନ୍ଧକାର ଉପରେ ଆଲୋକର ବିଜୟ, ପାପ ଉପରେ ପୁଣ୍ୟର ବିଜୟ ବୋଲି ଦୀପାବଳୀର ସ୍ୱତନ୍ତ୍ରତା ରହିଛି।


ଦୀପ ମନୁଷ୍ୟର ଆତ୍ମିକ ଜ୍ୟୋତି ତଥା ଉତ୍ତରଣର ପ୍ରତୀକ।  ଭାରତୀୟ ସଂସ୍କୃତି ଦୀପକୁ ପାପର ବିନାଶ ରୂପେ ସର୍ବଶ୍ରେଷ୍ଠ ଆସନରେ ଅଧିଷ୍ଠିତ କରିଛି।  କୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭରେ ଦୀପକୁ ପ୍ରଜ୍ବଳନ କରାଯାଏ।  ଦୀପ ଜଳାଇବା ଅର୍ଥ ଅଗ୍ନି ଦେବତାଙ୍କୁ ପୂଜା ସ୍ଥଳକୁ ଆମନ୍ତ୍ରଣ କରିବା। ଦୀପ ଐଶ୍ଵର୍ଯ୍ୟ ଓ ସମୃଦ୍ଧିର ପ୍ରତୀକ।  ତେଣୁ ଭାରତୀୟ ଜନମାନସରେ ଦୀପଦାନ ମହାପୂଣ୍ୟ ଭାବେ ସ୍ୱୀକୃତି ଲାଭ କରିଛି।  କାର୍ତ୍ତିକ ମାସରେ ଦୀପଦାନ କରୁଥିବା ଶ୍ରଦ୍ଧାଳୁ ଅସୀମ ପୁଣ୍ୟ ଅର୍ଜନ କରିଥାଏ ବୋଲି ଲୋକ ବିଶ୍ୱାସ ରହିଛି।

ଦୀପାବଳି ପାଳନର ପୃଷ୍ଠଭାଗରେ ଅନେକ ପୌରାଣିକ ତଥା ଐତିହାସିକ ତଥ୍ୟ ରହିଛି।  ତ୍ରେତୟା ଯୁଗରେ ପିତୃସତ୍ୟ ପାଳନକରି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ପତ୍ନୀ ସତୀ ସୀତା, ଅନୁଜ ଲକ୍ଷ୍ମଣଙ୍କ ସହିତ ଚଉଦ ବର୍ଷ କାଳ ବନବାସ କରି କାର୍ତ୍ତିକେୟ ଅମାବାସ୍ୟା ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତନ କରିଥିଲେ। ଅଯୋଧ୍ୟାବାସୀ ନିଜ ନିଜ ଦ୍ୱାରରେ ଦୀପ ଜାଳି ଓ ବାଣ ଫୁଟାଇ ରାମଚନ୍ଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସିଂହାନସନରେ ଅଭିଷିକ୍ତ କରାଇଥିଲେ।  ସେହି ଦିନକୁ ସ୍ମରଣ କରି ବିଜୟର ପ୍ରତୀକ ଦୀପକୁ ଭାରତୀୟ ମାନେ ଜାଳିଥାନ୍ତି।

ଅନ୍ୟ ଏକ ପୁରାଣ ତଥ୍ୟ ଅନୁସାରେ କାର୍ତ୍ତିକ ଅମାବାସ୍ୟା ଦିନ ସୃଷ୍ଟିକର୍ତ୍ତା ବିଷ୍ଣୁଙ୍କ ସହ ଅନ୍ନପୂର୍ଣ୍ଣା ମାଆ ଲଷ୍ମୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ପବିତ୍ର ତିଥିରେ ବାମନବତାରୀ ଭଗବାନ ବିଷ୍ଣୁ ମହାଦାନୀ ବଳିକୁ ଦାନ ମାଗିଥିଲେ ଏବଂ ତାକୁ ପାତାଳକୁ ପଠାଇଥିଲେ।  ବିଷ୍ଣୁଙ୍କର ବିଚାରକୁ ପରବର୍ତ୍ତୀ ସମୟରେ ଅବିଚାର ବୋଲି ବିବେଚନା କରି ଗୋଟିଏ ଦିନ ପାଇଁ ବଳିଙ୍କୁ ତାଙ୍କ ରାଜ୍ୟକୁ ଏହି ତିଥିରେ ଆସିଥିଲେ ବୋଲି କୁହାଯାଏ।  ଏଣୁ ପବିତ୍ର କାର୍ତ୍ତିକ ଅମାବାସ୍ୟା ଦିନ ଭରାତବାସୀ ଦୀପାଳି ଜାଳି ପରମଦାନୀ ମହାରାଜା ବଳିଙ୍କୁ ସ୍ୱାଗତ କରିଥାନ୍ତି।

ସେହିପରି ପ୍ରବଳପ୍ରତାପୀ ନକରାସୁରକୁ ପ୍ରଭୁ ଶ୍ରୀକୃଷ୍ଣ ଏହି ତିଥିରେ ବିନାଶ କରି ଦେବତା ମାନଙ୍କ ମନରେ ଆନନ୍ଦ ସଂଚାର କରିବା ସହ ଧରାକୁ ଉଶ୍ୱାସ କରିଥିଲେ।  ତେଣୁ ଦେବତାମାନେ କୃତଜ୍ଞ ହୋଇ ସ୍ଵର୍ଗରେ ଦୀପାବଳି ପାଳନ କରି ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିଥିଲେ।  କୁହାଯାଏ ଏହି ଦିନ ପୂଜାର୍ଚ୍ଚନା କରୁଥିବା ଅବିବାହିତ କନ୍ୟାମାନଙ୍କୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ବରଦାନ ମିଳିଥାଏ। ଏହାବ୍ୟତୀତ  ମୃତ୍ୟୁର ଦେବତା ଯମ ଦୀପାବଳି ଦିନ ଭଉଣୀ ଯମୁନାଙ୍କ ଘରକୁ ଆସିଥିଲେ। ଯମୁନା ନିଜ ହାତରେ ରୋଷେଇକରି ଯମରଜାଙ୍କୁ ଖୁଆଇ ଥିଲେ। ଭଗିନୀ ପ୍ରେମରେ ସନ୍ତୁଷ୍ଟ ହୋଇ ଯମ କହିଥିଲେ ଯେ,ଏହି ଦିନ ଯଦି କାହାର ମୃତ୍ୟୁ ହୁଏ ତାକୁ ଯମଦଣ୍ଡ ଲାଗିବ ନାହିଁ।  ଯିଏ ଏହି ଦିନ ନିଜ ଭଉଣୀ ଘରକୁ ଆସି ଭୋଜନ କରିବ, ତା ଉପରେ ମୋର ଶୁଭ ଦୃଷ୍ଟି ପଡିବ।  ତେଣୁ ଯମରଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ କେତେକ ସ୍ଥାନରେ ଦୀପାବଳି ଦିନ ଚଉଦଟି ସୁସଜ୍ଜିତ ଦୀପ ଏକ ସୁସଜ୍ଜିତ ମଣ୍ଡପ ଉପରେ ସ୍ଥାପନା କରାଯାଇଥାଏ।  ଏହି ଦିନ ଭଉଣୀ ଘରକୁ ଯିବାର ମଧ୍ୟ ଏକ ପରମ୍ପରା ରହିଛି l

ଧନର ଦେବତା କୁବେର, ଦେବ ବୈଦ୍ୟ ଧନ୍ଵନ୍ତରୀଙ୍କୁ ଏହି ଦିନ ପୂଜା କରାଯାଇଥାଏ ରୁପାର ବାସନରେ ଲଷ୍ମୀ ଓ ଗଣେଷଙ୍କୁ ପ୍ରସାଦ ଭୋଗ କଲେ ଦୀପାବଳି ଅବସରରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। କାଞ୍ଚି ବିଜୟ ଅଭିଯାନରେ ଗଜପତି ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଦୀପାବଳି ଦିନ ପୂଜା କରିଥିଲେ।  ଦୀପାବଳି ଦିନ ମହାବୀର ଜୈନଙ୍କର ମହାନିର୍ବାଣ ହୋଇଥିବାରୁ ଜୈନଧର୍ମାବଲମ୍ବୀମାନେ ଏହି ଦିନକୁ ଦେବ ଦୀପାବଳି ଭାବରେ ପାଳନ କରିଥାନ୍ତି।  ବୌଦ୍ଧମାନେ ଏହି ଦିନକୁ ତଥାଗତ ଶିଷ୍ୟଙ୍କର ପରିନିର୍ବାଣ ଭାବରେ ପାଳନ କରନ୍ତି।  ଶିଖମାନଙ୍କର ଷଷ୍ଠଗୁରୁ ଗୋବିନ୍ଦ ସମେତ ପଚାଶ ଜଣ ହିନ୍ଦୁ ରାଜା ଦୀପାବଳି ଦିନ ଜାହାଙ୍ଗୀରଙ୍କ ଗୋୱାଲିୟର ଦୁର୍ଗରୁ ମୁକ୍ତି ପାଇଥିଲେ।

Leave a Reply

Your email address will not be published. Required fields are marked *