ସ୍କୁଲ ନାହିଁ ତ ବକ୍ସିଂ ନାହିଁ: ବସ୍ତି ପିଲାଙ୍କ ବକ୍ସିଂ କୋଚ୍ ସୁଦର୍ଶନ

ପ୍ରବଳ ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବାଧା ବିଘ୍ନ । ଆଉ ଲେଖି ହୋଇଯାଏ କିଛି ଏମିତି କାହାଣୀ ଯାହା ପ୍ରେରଣା ଦିଏ ଅନେକ ପିଢ଼ିକୁ । ଏମିତି ଗୋଟିଏ କାହାଣୀ ହେଉଛି ପୁରୀ ଜିଲ୍ଲାର ୫୨ ବର୍ଷୀୟ ବକ୍ସିଂ ଗୁରୁ ସୁଦର୍ଶନ ସାହୁଙ୍କର, ଯିଏ ଜୀବନର ତମାମ ଝଡ଼ଖଞ୍ଜାକୁ ଏଡ଼ାଇ ସାଜିଛନ୍ତି ସଭିଙ୍କ ପ୍ରେରଣା ।

ଯେତେବେଳେ ସୁଦର୍ଶନ ଚତୁର୍ଥ ଶ୍ରେଣୀରେ ପଢୁଥିଲେ ସେ ତାଙ୍କ ବାପାଙ୍କୁ ହରାଇଲେ । ପରିବାରର ଆର୍ଥିକ ସଙ୍କଟ ତାଙ୍କ ପାଠପଢ଼ାରେ ଡୋରି ବାନ୍ଧିଲା । ଷଷ୍ଠ ଶ୍ରେଣୀ ପରେ ଆଗକୁ ଆଉ ପଢ଼ି ପାରିଲେନି ସୁଦର୍ଶନ । ଅର୍ଥାଭାବରୁ ତାଙ୍କୁ କଅଁଳ ବୟସରୁ ପରିବାରକୁ ସାହାଯ୍ୟ କରିବା ପାଇଁ କାମ କରିବାକୁ ପଡ଼ିଲା। କାମ ସାଙ୍ଗେ ସାଙ୍ଗେ ଖାଲି ସମୟରେ ସେ ପୁରୀ ଜିଲ୍ଲାରେ ଥିବା ଏକ କୁସ୍ତି କ୍ଲବକୁ ଯାଉଥିଲେ, ସେଠି ତାଙ୍କ ନଜର ପଡ଼ିଲା ଝୁଲୁଥିବା ବକ୍ସିଂ କିଟ୍ ଉପରେ। ସେଇଠୁ ଆରମ୍ଭ ହେଲା ଶିଖେଇବାର ଯାତ୍ରା ପ୍ରଥମେ ନିଜକୁ ବକ୍ସିଂ ଶିଖାଇଲେ ସୁଦର୍ଶନ ଆଉ ତାପରେ ସାଜିଲେ ବକ୍ସିଂ କୋଚ୍ ।

ଗୁଜୁରାଣ ମେଣ୍ଟାଇବାକୁ ସେ ୧୯୯୦ ମସିହାରେ ଜେଲ ରୋଡ଼ରେ ଏକ ଗ୍ୟାରେଜ ଖୋଲିଲେ ଆଉ ସେଠାରେ ସେ ଆର୍ଥିକ ଭାବେ ଅସହାୟ ପିଲାଙ୍କୁ ସଞ୍ଜବେଳେ ବକ୍ସିଂ ପ୍ରଶିକ୍ଷଣ ଦେଉଥିଲେ ।

ପୁରୀ ଜିଲ୍ଲାର ବସ୍ତି ଅଞ୍ଚଳରୁ ଅଧିକାଂଶ ପିଲା ପ୍ରଶିକ୍ଷଣ ପାଇଁ ଆସୁଥିବାବେଳେ ସେଥିମଧ୍ୟରୁ ଅଧିକାଂଶଙ୍କ ଅଧାରେ ସ୍କୁଲ ଛାଡ଼ିଛନ୍ତି । ଅର୍ଥାଭାବରୁ ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପଢିଥିବା ସୁଦର୍ଶନ ପାଠପଢ଼ାର ମହତ୍ତ୍ୱ ଓ ଦାରିଦ୍ର୍ୟ ଦୂରୀକରଣରେ ଏହାର ଭୂମିକାକୁ ବେଶ ଭଲରେ ବୁଝନ୍ତି । ତେଣୁ ସେ ବସ୍ତି ପିଲାଙ୍କୁ ସେମାନଙ୍କ ପାଠପଢ଼ା ଜାରି ରଖିବା ପାଇଁ ପ୍ରବର୍ତ୍ତାଇ ଥାନ୍ତି । ଆଉ ଏଥିପାଇଁ ସେ ନିଅନ୍ତି ବକ୍ସିଂର ସହାରା । ନିଜ ବକ୍ସିଂ କ୍ଲବରେ ସେ ଏକ ନିୟମ କରିଛନ୍ତି “ସ୍କୁଲ ନାହିଁ ତ ବକ୍ସିଂ ବି ନାହିଁ” ।

ମାଗଣା ପ୍ରଶିକ୍ଷଣ ସହ ସେ ଆର୍ଥିକ ଭାବେ ଦୁର୍ବଳ ପିଲାଙ୍କୁ ବିଭିନ୍ନ ଉପକରଣ ମଧ୍ୟ ଯୋଗାଇ ଦିଅନ୍ତି ଓ ମାଗଣା ବହି ପାଇବାରେ ସେମାନଙ୍କୁ ସାହାଯ୍ୟ କରନ୍ତି । ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ “ସ୍କୁଲ ନାହିଁ ତ ବକ୍ସିଂ ବି ନାହିଁ” ପଦକ୍ଷେପ ଯୋଗୁଁ ସ୍କୁଲ ଛାଡ଼ିଥିବା ୬୦ ଜଣ ପିଲା ପୁଣିଥରେ ସ୍କୁଲକୁ ଫେରିଲେ ଆଉ ସେମାନଙ୍କ ମଧ୍ୟରୁ ଆଜି ଅନେକ ଜଣେ ଜଣେ ଗ୍ରାଜୁଏଟ । ସାହୁଙ୍କ ବକ୍ସିଂ ସହ ପାଠପଢ଼ାକୁ ଯୋଡ଼ିବାର ପଦକ୍ଷେପ ସେହି ଅଞ୍ଚଳରେ ସ୍କୁଲ ଛାଡ଼ିଥିବା ପିଲାଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଛି ।

ଇତିମଧ୍ୟରେ ସୁଦର୍ଶନ ୫୦୦ ରୁ ଅଧିକ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବସ୍ତି ଅଞ୍ଚଳର । ବଡ଼ କଥା ହେଉଛି ଅନେକ ପିଲା ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ବକ୍ସିଂ ଖେଳିବାର ସୁଯୋଗ ପାଇଛନ୍ତି । ଏପରିକି କିଛି ଛାତ୍ର ବିଭିନ୍ନ ସରକାରୀ ବିଭାଗରେ ସ୍ପୋର୍ଟ୍ସ କୋଟାରେ ଚାକିରୀ ମଧ୍ୟ କରିଛନ୍ତି ।

ଅତୀତରେ ବକ୍ସିଂ କେବଳ “ଜଗା ଘର” ରେ ଶିଖା ଯାଉଥିଲା, ପରେ ଏହା ପୁରୀ ଜିଲ୍ଲା ସ୍କୁଲ, ପୋଲିସ ହାଇସ୍କୁଲ, ଭୋଳାନାଥ ହାଇସ୍କୁଲ ପରି ବିଭିନ୍ନ ସରକାରୀ ସ୍କୁଲରେ ଶିଖା ହେଲା । ବର୍ତ୍ତମାନ ସୁଦର୍ଶନ ପୁରୀ ଷ୍ଟାଡିୟମରେ ଏକ ସେଣ୍ଟର ଚଲାଉଛନ୍ତି । ପ୍ରତିବର୍ଷ ତାଙ୍କ ଏକାଡେମୀରୁ ବିଭିନ୍ନ ବୟସ ବର୍ଗର ପିଲା ଜାତୀୟ ସ୍ତରରେ ଟୁର୍ଣ୍ଣାମେଣ୍ଟ ଖେଳନ୍ତି। ତାଙ୍କ ପଦକ୍ଷେପ ପାଇଁ ସୁଦର୍ଶନ ଓଡ଼ିଶା ବକ୍ସିଂ ଆସୋସିଏସନର ଉପ ସଭାପତି ଭାବେ ମଧ୍ୟ ମନୋନୀତ ହୋଇଥିଲେ ।

ସତରେ ସୁଦର୍ଶନଙ୍କ ଏ କାହାଣୀ ଅନନ୍ୟ । ପିଲାଙ୍କୁ ବକ୍ସିଂ ସହ ପାଠପଢ଼ା ସହ ଯୋଡ଼ି ରଖିବାର ତାଙ୍କର ଏଇ ପ୍ରୟାସ ସଭିଙ୍କ ପାଇଁ ଏକ ଉଦାହରଣ ।

 

* ବିଷ୍ଣୁପ୍ରିୟା ମହାପାତ୍ର *

Leave a Reply

Your email address will not be published. Required fields are marked *