ଓଡ଼ିଶାର ଚାଲି ଚଲଣି ଓ ପରମ୍ପରା ସବୁଠାରୁ ଅଲଗା । ଆଉ ଦେଶର ଅନ୍ୟ ସ୍ଥାନ ଠାରୁ ଭିନ୍ନ ଓ ସ୍ବତନ୍ତ୍ର । କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ, ଆଉ ସବୁ ପର୍ବ ମଧ୍ୟରେ ନୂଆଁଖାଇର ରହିଛି ଅଲଗା ପରିଚୟ । ଖାସ କରି ପଶ୍ଚିମ ଓଡ଼ିଶାରେ ଏହି ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଏହି ଦିନ ବର୍ଷର ପ୍ରଥମ ଅନ୍ନ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବାର ବିଧାନ ରହିଛି । ମାଁ ବସୁମତିଙ୍କୁ କୃତଜ୍ଞତା ଦେବା ଲାଗି ବର୍ଷର ପ୍ରଥମ ଫସଲର ଧାନକେଣ୍ଡା ଆଉ ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ, ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଯିଏ ଯେତେ ଦୂରରେ ଥିଲେ ବି ଏହି ଦିନ ଘରେ ଆସି ପହଞ୍ଚିଯାଏ ।
ଆଗରୁ ରାଜା ମାନେ ତାଙ୍କର ରାଜ୍ୟର ଇଷ୍ଟ ଦେବୀଙ୍କ ନାମ ଅନୁସାରେ ନୂଆଁ ଖାଇବାର ଲଗ୍ନ ନିର୍ଧାରିତ କରୁଥିଲେ ଓ ଭିନ୍ନ ଭିନ୍ନ ଦିନରେ ନୂଆଁ ଖାଉଥିଲେ । ୧୯୯୧ ପର୍ଯ୍ୟନ୍ତ କୌଣସି ଗୋଟିଏ ଦିନ ନୂଆଁଖାଇ ନ ହୋଇ ଭାଦ୍ରବ ମାସ ଶୁକ୍ଳପକ୍ଷର ଯେକୌଣସି ତିଥିରେ ପାଳନ କରାଯାଉଥିଲା । ପରେ କିନ୍ତୁ ସମସ୍ତେ ଗୋଟିଏ ଦିନ ନୂଆଁଖାଇ ପାଳନ ପାଳନ କରିବାକୁ ସ୍ଥିର କଲେ । ତା ପର ଠାରୁ ଗଣେଶ ପୂଜା ପରଦିନ ଅର୍ଥାତ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ବା ଋଷି ପଞ୍ଚମୀକୁ ନୂଆଁଖାଇ ଭାବେ ପାଳନ କରିବାକୁ ନିଶ୍ଚିତ କରାଗଲା । ସେହିଦିନକୁ ଓଡ଼ିଶା ସରକାର ଛୁଟି ଭାବେ ଘୋଷଣା କଲେ । ସେହି ଦିନ ଠାରୁ ପଶ୍ଚିମ ଓଡ଼ିଶାର ସବୁ ଅଞ୍ଚଳରେ ଏହି ଦିନକୁ ନୂଆଁଖାଇ ଭାବେ ପାଳନ କରାଯାଉଛି।
ନୂଆଁଖାଇ କେବଳ ଏକ ପାରମ୍ପରିକ ପର୍ବ ନୁହେଁ , ଏହି ପର୍ବ ଭାତୃଭାବ ଓ ଏକତାର ପର୍ବ ମଧ୍ୟ। କାରଣ ଏହି ଦିନ ନିଜ ଭିତରେ ଥିବା ମନାନ୍ତର ମତାନ୍ତର ଭୁଲି ସମସ୍ତେ ଏକ ହୋଇଯାଆନ୍ତି । ରାଜା ଠାରୁ ପ୍ରଜା, ଧନୀ ରୁ ଗରିବ, ବଡ଼ ସାନର କୌଣସି ଭେଦ ଭାବ ନଥାଏ । ତେଣୁ ଏହି ପର୍ବ ସାମ୍ୟବାଦର ଶିକ୍ଷା ଦିଏ ବୋଲି କୁହାଯାଏ ।
ନୂଆଁଖାଇ ପୂର୍ବରୁ ଲୋକ ମାନଙ୍କ ମନ ଆନନ୍ଦରେ ଭରିଯାଏ । ଧନୀରୁ ଗରିବ ସମସ୍ତେ ନିଜ ନିଜର ଘର ସଜାନ୍ତି । ମିଠା,ପିଠା ତିଆରି କରିବା ଲାଗି ଜିନିଷ ସବୁ ଯୋଗାଡ଼ କରନ୍ତି । ନୂଆଁଖାଇ ଦିନ ସସସ୍ତେ ସକାଳୁ ଉଠି ଗାଧୁଆ ପାଧୁଆ ସାରି ନୂଆ ବସ୍ତ୍ର ପିନ୍ଧି ପୂଜାରେ ବସନ୍ତି । ପିତୃ ଲୋକଙ୍କୁ ପିଣ୍ଡ ଦାନ ପରେ ନୂଆଁଧାନ କେଣ୍ଡା ଓ ନୂଆ ଚୂଡା଼ ଇଷ୍ଟଦେବୀଙ୍କୁ ଅର୍ପଣ କରନ୍ତି । ଏହା ପରେ ଘରର ମୁରବୀ ସମସ୍ତଙ୍କୁ ନୂଆ ଖାଇବାକୁ ଦିଅନ୍ତି । ପୂଜା ସରିବା ପରେ ସମସ୍ତେ ଏକାଠୀ ହୋଇ ବସି ନୂଆ ଖାଆନ୍ତି । ନୂଆ ଖାଇବା ପରେ ସମସ୍ତେ ଘରର ବଡ ମାନଙ୍କୁ ନୂଆଁଖାଇ ଜୁହାର କରନ୍ତି ।
ଏହି ଦିନ ପିଲା ଠାରୁ ବୁଢ଼ା ଯାଏଁ ସଭିଏଁ ଗାଁ ମନ୍ଦିରକୁ ଯାଇ ଅଧିକରୁ ଅଧିକ ଫସଲ ହେଉ ବୋଲି ପ୍ରାର୍ଥନା କରନ୍ତି । ଆଉ ତା ପରେ ସମସ୍ତେ ମିସି ନାଚ ଗୀତ, ଭଜନ କୀର୍ତନ ଆଉ ନାଟ ତାମସାରେ ନଜକୁ ହଜେଇ ଦିଅନ୍ତି । ସମ୍ବଲପୁରୀ ଢ଼ୋଲ ନିସାନ ତାସାର ତାଳେ ତାଳେ ଝୁମି ଜାଆନ୍ତି ସଭିଏଁ ।
ନୂଆଁଖାଇ ଏକ କୃଷି ଭିତ୍ତିକ ପର୍ବ । ଏଇ ପର୍ବ ଚାଷିକୁ ନୂଆଁ ଫସଲ ଅମଳ କରିବା ଲାଗି ଉତ୍ସାହିତ କରେ। ତା ସାଙ୍ଗେ ସାଙ୍ଗେ ଲୋକ ମାନକୁ ସାମାଜିକ ବନ୍ଧନ ଆଉ ଭାତୃଭାବନାର ମହତ୍ତ୍ୱ ଶିଖାଏ । ନୂଆଁଖାଇ ଆମ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଠିକ୍ ବାଟରେ ନେଇ ଚାଲେ।
-ବିଷ୍ଣୁପ୍ରିୟା ମହାପାତ୍ର –