କରୋନା କବଳିତ କଠୋର ୨୦୨୦ ବିଦାୟ ନେବାର ଠିକ ପୂର୍ବରୁ ଓଡ଼ିଶା ସହ ସାମଗ୍ର ଭାରତୀୟ କ୍ରୀଡା ଜଗତକୁ ଆଉ ଏକ ଶକ୍ତ ଓ ଦୁଃଖଦ ଧକ୍କା ଦେଇଛି ! ବର୍ଷର ଶେଷ ଦିନରେ ମହାନ ହକି ତାରକା, ଅର୍ଜୁନ ପୁରସ୍କାର ବିଜେତା, ୧୯୭୫ ହକି ବିଶ୍ୱକପ ବିଜୟୀ ତଥା ୧୯୭୨ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଓ ଭାରତୀୟ ହକିର ଲୌହ ପ୍ରାଚୀର ମାଇକେଲ କିଣ୍ଡୋଙ୍କର ଦେହାନ୍ତ ହୋଇଥିଲା।
Remembering the legendary #Hockey player #MichaelKindo on his birth anniversary. His magical #hockey skill led India to many victories and his prodigious skill inspires generations of sportsmen. pic.twitter.com/dCSSiJ6HSG
— Dilip Kumar Tirkey (@DilipTirkey) June 28, 2021
କିଣ୍ଡୋ ଚାଲିଯିବା ପରେ ଭାରତ ବିଶେଷ କରି ଓଡ଼ିଶା ହକି ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ତାର ସୁଯଗ୍ୟ ପୋଷ୍ୟ ସନ୍ତାନକୁ ହରାଇଛି। ନିଜର ଖେଳ ଲାଗି ବିଶ୍ଵବିଖ୍ୟାତ ହୋଇଥିବା ଡିଫେଣ୍ଡର ମାଇକେଲଙ୍କୁ ବିଶ୍ୱ ହକି ଜଗତରେ ଲୌହ ପ୍ରାଚୀର ଭାବେ ଅଭିହିତ କରାଯାଉଥିଲା!
ମହାନ ହକି ତାରକା ମାଇକେଲ କିଣ୍ଡୋଙ୍କ ଜନ୍ମ ଝାଡ଼ଖଣ୍ଡର ସୀମଡେଗା ଜିଲ୍ଳା କୁରଡେଗା ଗ୍ରାମରେ ୨୮ ଜୁନ ୧୯୪୭ ମସିହାରେ ହୋଇଥିଲା। ତେବେ ନିଜ ଜୀବନର ଆଧିକାଂଶ ସମୟ ସେ ରାଉଲକେଲାରେ କଟାଇଥିଲେ। ଶେଷ ନିଶ୍ୱାସ ମଧ୍ୟ ସେହି ରାଉଲକେଲାରେ ତ୍ୟାଗ କରିଥିଲେ। ଆରଏସପିରେ ଯୋଗଦେବା ପରେ ଓଡ଼ିଶା ହକି ଦଳର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ ସେ। ଆରଏସପିରେ କ୍ରୀଡା ବିଭାଗରୁ ଅବସର ନେବା ପରେ ମଧ୍ୟ ହକି ଏକାଡେମୀରେ ପ୍ରଶିକ୍ଷଣ ଦେବା ସହ ଉଦୀୟମାନ ହକି ତରକାଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ ସହଯୋଗ କରୁଥିଲେ। ତାଙ୍କ ମାର୍ଗଦର୍ଶନ ଦ୍ୱାରା ଓଡ଼ିଶା ଓ ଓଡ଼ିଶା ବାହାରର ଅନେକ ଖେଳାଳି ଜାତୀୟ ଦଳର ପ୍ରତିନିଧିତ୍ଵ କରିବାର ସୌଭାଗ୍ୟ ଲାଭ କରିଥିଲେ। କିଣ୍ଡୋ କିନ୍ତୁ ଗାଁ ଦାଣ୍ଡରେ କାଠ ଫାଳିଆରେ ହକି ଖେଳିବା ଆରମ୍ବ କରିଥିଲେ। ପରେ ହକି ତାଙ୍କର ନିଶା ପାଲଟି ଯାଇଥିଲା। ଉନ୍ନତ ମାନର ଖେଳ ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ନୌସେନାରେ ନିଯୁକ୍ତି ପାଇଥିଲେ। ନୌସେନା ପକ୍ଷରୁ ହକି ଖେଳିବା ସହ ସେ ଏକାଧିକ ବାର ଦଳକୁ ସଫଳତା ଆଣି ଦେଇଥିଲେ। କ୍ରମାଗତଭାବେ ଆକର୍ଷଣିୟ ପ୍ରଦର୍ଶନ ଯୋଗୁଁ ସେ ୧୯୬୭-୬୮ ମସିହାରେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ଏହା ପରେ ସେ ବହୁ ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ।
୧୯୭୨ ଅଲିମ୍ପିକ୍ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳ ଓ ୧୯୭୫ ମସିହାରେ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଥିବା କିଣ୍ଡୋ ଭାରତୀୟ ହକି ଦଳର ଭାରସାଯୋଗ୍ୟ ସଦସ୍ୟ ଥିଲେ , ଯାହାକି ତାଙ୍କୁ ବିଶ୍ୱ ହକିରେ ସୁଖ୍ୟାତ ଆଣିଦେଇଥିଲା। ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ୧୯୭୩ -୭୪ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରାୟ ୧୦ବର୍ଷ ଧରି ଭାରତୀୟ ନୌସେନାରେ ଚାକିରୀ କରିବା ପରେ ସେ ରେଳବାଇରେ ଯୋଗ ଦେଇଥିଲେ। ପରେ ୧୯୭୭ ମସିହାରେ ରାଉଲକେଲା ଇସ୍ପାତ କାରଖାନା ଆରଏସପିରେ ଯୋଗ ଦେବା ପରେ ସେ ସ୍ଥାନୀୟ ପିଲାଙ୍କୁ ହକି ପ୍ରଶିକ୍ଷଣ ଦେବା ସହ ଜିଲ୍ଲାରେ ହକିର ବିକାଶ ପାଇଁ ଦିନରାତି ପ୍ରୟାସ ଚଳାଇଥିଲେ। ତାଙ୍କ ନେତୃତ୍ୱରେ ଓଡିଶା ହକି ଦଳର ଏକାଧିକବାର କୃତିତ୍ୱ ହାସଲ କରିଥିଲେ। ୨୦୦୪ ମସିହାରେ ଆରଏସପିରୁ ଅବସର ନେଲା ପରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ହକିର ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ ରଖିଥିଲେ।